Unknown

 

 

 

 

 

 

 

 

 

 

 

ଅଭିମାନୀ ଧ୍ରୁବ

ଶ୍ରୀ ଗଜେନ୍ଦ୍ର ନାୟକ

 

ଅଭିମତ

 

ଫୁଲ ଫୁଟେ, ମାଳି ତୋଳେ, ମାଳ ଗୁନ୍ଥେ—ହେଲେ ଏଇ ଫୁଲ ସଜାଇ ଗୁନ୍ଥିବାରେ ଫୁଟେ ମାଳିର ବାହାଦୁରି । ସେମିତି ଏଇ ‘ଅଭିମାନୀ ଧ୍ରୁବ’ ବହିଟିର ଲେଖକ ଅତି ଚିହ୍ନାଜଣା ଏକ ପୁରୁଣା ବିଷୟବସ୍ତୁକୁ ଛାନ୍ଦରେ ଗୁନ୍ଥିଛନ୍ତି । କଥା ପୁରୁଣା; କିନ୍ତୁ ସଜଡ଼ା ହେଇଛି ନୂଆ ଢଙ୍ଗ ରଙ୍ଗରେ-

 

ଲେଖକ ଏକ ବଣମାଳତୀ । ମୁଁ ବହୁତ ଦିନୁ ଜାଣିଛି, ସେ ସାଧନାରେ ରତ । ଲେଖା ସରଳ । ଛାନ୍ଦବୋଧ ଅଛି ଲେଖକଙ୍କର । ଏଭଳି ଏକ ରଚନା ପାଇ ମୁଁ ଶ୍ରୀମାନ୍ ଗଜେନ୍ଦ୍ର ନାୟକଙ୍କୁ ସ୍ନେହାଶୀର୍ବାଦ ଜଣାଉଛି ।

 

ତାଙ୍କର ସାଧନା ସଫଳ ହେଉ—ଶ୍ରୀମାନ୍ ଜଗନାଥଙ୍କ ଶ୍ରୀଚରଣରେ ମୋର ନିବେଦନ-

 

କାଳୀଚରଣ ପଟ୍ଟନାୟକ

ତା ୧୪ । ୧୦ । ୬୯

Image

 

ଉତ୍ସର୍ଗ

 

ବାପା,

 

ମୋର ଅଭିମାନିଆପଣ ଆପଣଙ୍କ ନିକଟରେ

ଶୋଭାପାଏ ସିନା, ଆଜି ମୋର ‘ଅଭିମାନୀ

ଧ୍ରୁବ’ ଲେଖା ଖଣ୍ଡିକ ମୁଁ ଅପାଣଙ୍କ

ହାତକୁ ସୁନ୍ଦର ଦିଶିବା ପାଇଁ

ବଢ଼ାଇ ଦେଉଛି ନିଅ ।

 

ବିନୀତ

ଗଜେନ୍ଦ୍ର

Image

 

ପ୍ରଥମ ଛାନ୍ଦ

(ରାଗ–ବଙ୍ଗଳା ଶ୍ରୀ)

 

ଭୟ, ଅଭିମାନେ କ୍ରୋଧେ ଜର ଜର

କୁମାର ଧାମଇଁ ପୁରେ,

ବାଷ୍ପୀୟ ସ୍ଫୁଲିଙ୍ଗ ଖସି ପଡ଼ଇ କି

ଆକାଶୁ ଅବନୀ ପରେ ।

କିବା ମେରୁ ଗର୍ଭେ- ଦନ୍ତଭରି ସୁର-

ପୁରେ ଧାମେ କରୀବର,

ପାଞ୍ଚାଳୀ ବିବସା କୁରୁସଭା ମଧ୍ୟେ

ଶୁଣିଲା କି ବୃକୋଦର ।

ବଶିଷ୍ଠ ଆଶ୍ରମେ ଗମେ କି ସୁରଭି

ଦିଲୀପ ନିଷ୍ଠୁର ଚିନ୍ତି,

ତଡ଼ିତ ବେଗରେ ଶଚୀପତି ପୁରେ

ଧାମେ କି ଅଯୋଧ୍ୟାପତି ।

ବନ୍ୟ କରୀ ପାଦେ ପାଳିତ କରୀଣୀ

କରିଛି କି ଶାଙ୍ଖୋଳିତ,

ବୃଦ୍ଧ ଜାଙ୍ଗଳିକ କରେ କିବା ବିଷ-

ଧର ଫଣୀ କରାୟତ୍ତ ।

ନବୀନ କେଶରୀ ଲୌହ କାରାଗାରେ

ଚଳାଏ କି ନଟକାର,

ଅଧର ବିବର୍ଣ୍ଣ ଆରକ୍ତ ନୟନ

କାତରେ କମ୍ପେ ଶରୀର ।

ଘର୍ମ ବିଜଡ଼ିତ ବାଷ୍ପରୁଦ୍ଧ କଣ୍ଠେ

ମୁଖୁଁ ନ ସ୍ଫୁରେ ବଚନ,

ମରମ ବେଦନା ମରମେ ଗୁମରି

ଅଧିର କରେ ତା ମନ ।

ବିମାତା ଲାଞ୍ଛନା ଦେଉଛି ଯାତନା

ଶିଶୁ ସୁକୁମାର ପ୍ରାଣେ,

କିଏ ପ୍ରବୋଧିବଏକୋଇରବଳା’

ଧାତ୍ରୀ ବିଚାରଇ ମନେ ।

ଅତି ଅଭାଗିନୀ ଜନମ ଦୁଃଖିନୀ

ବସିଥିବ ଚାହିଁ ପଥ,

ନିରେଖି ସନ୍ତାନ ବିମର୍ଷ ବଦନ

ନୋହିବ କି ସେ ମୂର୍ଚ୍ଛିତ ।

ଲଭିନି ହୃଦୟ ପିପାସା ମେଣ୍ଟାଇ

ସ୍ୱାମୀ ପ୍ରେମ ସଉରଭ,

ବିଭୁ କୃପାବଳେ ଲଭି ଏକ ଶିଶୁ

ତୁଚ୍ଛ ମଣଇ ବିଭବ ।

ସପତ୍ନୀ ଗଞ୍ଜଣା ଅସଦ୍ୟ ହୁଅନ୍ତେ

ନଗ୍ର ଶେଷ ବାସେ ରହି,

ସ୍ୱାମୀ ପ୍ରତିମୂର୍ତ୍ତି ପୂଜେ ନିତି ନିତି

ପ୍ରୀତି ପୁଷ୍ପାଞ୍ଜଳି ଦେଇ ।

ପିରତୀ ପ୍ରତିଭା ଅତୁଟ ଏ ଭବେ

ପ୍ରୀତି ସର୍ବ ସୁଖମୟ,

ପୀରତି ଫଳରେ ବିରଞ୍ଚି ଖେଳରେ

ରାଜନ ରେତୁ ତନୟ ।

ବିବେଚିତ ହୋଇ ହେଉଛି ତନୁଜ

ଜନକ ସ୍ନେହେ ପାଳିତ,

ନିତି ସିଂହାସନେ ଦର୍ଶନ ମାତ୍ରକେ

ଅନ୍ୟ ବିଭବୁ ବଞ୍ଚିତ ।

କି ଦୂର୍ଯୋଗେ ପୁରୁ ହୋଇଲି ବାହାର

ଆଜ ସଙ୍ଗେ ଶିଶୁ ଘେନି,

ଦୁର୍ଯୋଗର ବାତ ବାରିତ ନୋହୁଛି

ମରମେ ଦହେ ଅଶନି ।

ଶାଣ ମଜା କ୍ଷୁର, ବାଣୀ ସୁରୁଚିର

ତୀର ତା ନୟନ ଛଟା,

ସପତଣୀ ହିଂସା ବହି ଅହରହ

ଶିଶୁରେ ସାଧେ ଅହନ୍ତା ।

ଅହନ୍ତା ସାଧନ ଆଶ୍ଚର୍ଯ୍ୟ କି ତା’ର

ପୂର୍ବାର୍ଜିତ କର୍ମ ଘେନି,

ତା’ ଅଙ୍କ ମଣ୍ଡିଛି ଚନ୍ଦ୍ର ସମ ଶିଶୁ

ସଦା ସ୍ୱାମୀ ସୁହାଗିନୀ ।

ସୂଚିପଣେ ଭୋଗେ ରାଜପୁର ସୁଖ

ତେଣୁ ତା’ ନାମ ସୁରୁଚି,

ସୁନୀତି ଦୁର୍ଭାଗୀ ସବୁହୁଁ ବଞ୍ଚିତା

ନଗର ବାହାରେ ଅଛି ।

ଭାବିଥିବ ମନେ ଫେରିବ ତନୟ

ନୃପତି ପରଶ ଲଭି,

କ୍ଷଣେ କୋଳେ ଘେନି ମୁହିଁ ଅଭାଗିନୀ

ଉଭୟ ସୁଖ ଲଭିବି ।

ହାୟରେ ବିଧାତା ! ଅତିହିଁ ବିଚିତ୍ର

ନୁହେ କି ତୋ ସରଜନା,

ହିମଗିରି ସରି ସୁନୀତି କାମନା

କ୍ଷଣକେ କରିଲୁ ଚୂନା ।

ଚୂର୍ଣ୍ଣକଲୁ ଚୂର୍ଣ୍ଣ କେଶଧର ଶିଶୁ

ମାନସ ଆଶା ଆସନ,

ଯେ ଆସନେ ପିତୃ- ଦତ୍ତ ସ୍ନେହ ଘେନି

ଯାପନ୍ତା ଯାମିନୀ ଦିନ ।

ଦିବସେ ତମସା ଘୋଟାଇ ସହସା

ବରଷଇଲୁ ପଥର,

ପଥହରା ହେଲେ ପବିତ୍ର ଶିଶୁଟି

ଏଥି କି ଲାଭ ତୋହର ?

ଦେଇ ପାରିବୁ କି ପ୍ରଶ୍ନର ଉତ୍ତର

ଅନ୍ତରାଳେ ରହି କହ,

କହିବା କ୍ଷମତା ତୋର ଯେବେ ଥାନ୍ତା

କାହିଁକି ନ ଥାନ୍ତା ଦେହ ।

ଏହି କର୍ମ ବଶେ ଅଦେହା ତୁ ଭବେ

ଅରି ସର୍ବ ପ୍ରାଣୀଙ୍କର,

ଅନା ଅକଳଙ୍କ- ଆନନା ଶିଶୁର

ଅଘଟନ ବ୍ୟବହାର ।

ମନେ ବହି କ୍ରୋଧ       ନବ ପରିଚ୍ଛଦ

ନଖାଘାତେ କରେ ନାଶ,

ଧରଣୀର ରେଣୁ ଘେନି ଅଭିମାନୀ

ଛଡ଼ାଏ ଶରୀରୁ ବାସ ।

ନିଜ କରେ ନିଜ କେଶ ଟାଣି ଗୁଣି

ହେଉଛି ବୈମାତ୍ରୀ ଗୀର,

କାତର ପରାଣେ ଚାହେନା ନୟନେ

ବାଷ୍ପ ନୀର ଜର ଜର ।

ପୁଣି ଗୁଣେ ଯେବେ କିଞ୍ଚିତେ ଜନକ

ସ୍ନେହ ଥାନ୍ତା ମୋରେ ରହି,

ଚଳେ ଧରି କୋଳେ ପ୍ରବୋଧି ଥାଆନ୍ତେ

ତାହା ଏ ଭାଗ୍ୟରେ ନାହିଁ ।

ନାହିଁ ଯେବେ ରହି କି କରିବି ମୁହିଁ

ହୋଇ ସବୁହୁଁ ବଞ୍ଚିତ,

ଚିର ଯା ସୁନ୍ଦର ସେ ଯେବେ ନୋହିଲା

ବଞ୍ଚିବାହୁଁ ଶ୍ରେୟ ମୃତ,

ମୁଦୁସୁଲୀ ଗମେ ଅଶ୍ରୁଳ ନୟନେ

ନିରେଖି ନନ୍ଦନ ପଥ,

ନ ଦିଶେ ନ ପାରେ ଧରି ପ୍ରବୋଧିବ

ବାଳକ ଚଞ୍ଚଳ ଚିତ୍ତ

ଧାଇଁ ଗେଲେ ଗେଲେ ଚାଟୁଆଇ କୋଳେ

ତୋଳି ଧରେ ସରାଗରେ,

ଖସିଆସେ ଶିଶୁ ତୀକ୍ଷ୍ଣ ନଖାଘାତେ

ଉଭୟଙ୍କ ତନୁ ଚିରେ ।

ଝରେ ଝରଝର ନୟନର ନୀର

ନ ଦିଶଇ ଚଲାପଥ,

ନିଜର ଚରଣ ନିଜେ ଝୁଣ୍ଟିପଡ଼ି

ଦଣ୍ଡେ ହୁଏ ଭୂମିଗତ ।

କ୍ଷତ ଅଙ୍ଗୁ ତାର ଝରଇ ରୁଧିର

ବିକ୍ଷିପ୍ତ ମାନସେ ଧାଏଁ,

ବୈରାଗ୍ୟ ଜନ୍ମିଛି ବାଳକ ପରାଣେ

ଶାନ୍ତ୍ୱନା ଦେବ ବା କିଏ ?

ଅଛି ଏକମାତ୍ର ତାର ପ୍ରସବିନୀ

ନିକଟେ ଗମେ ଉଚ୍ଚାଟେ,

ଚାହିଁ ଚିନ୍ତାଜ୍ୱରେ ବୁଡ଼ିବ ଅଭାଗୀ

ଜୀବନ ଧରିଚି କଷ୍ଟେ ।

କ୍ରୋଧେ ପୁଣି ଧାତ୍ରୀ ଚିନ୍ତେ ରାଜା ପ୍ରତି

ଧିକ ହେ ଉତ୍ତାନପାଦ,

ବିଚାର ଆଳୟେ ଅବିଚାର ହେଲା

ଧିକ ତବ ପିତୃପଦ ।

ଧିକ ରାଜପଣ ଥିବା ଅକାରଣ

ଧିକ କୃଦ୍ଧା ନାରୀ ପ୍ରେମ,

ଯେ ପ୍ରେମ ପରଶେ ସୁ-ପବିତ୍ର ପୀଠେ

ରହେନା ଧର୍ମ ଅଧର୍ମ ।

ଶିରୀଷ କୁସୁମ ସମ ଶିଶୁ ମନେ

ରାକ୍ଷସୀ କୀଟ ଦଂଶିଲା,

ପ୍ରତିକାର କିଛି ନ କରି ନିର୍ଲଜ୍ଜ

ନିଷ୍ଠୁର ରୂପେ ଚାହିଁଲା ।

ପିତା ପ୍ରତି ରାଗ ପୁତ୍ରରେ ସରାଗ

ଜନନୀ ଦୁଃଖେ ଦୁଃଖିନୀ,

ଅତ୍ୟନ୍ତ ବିରଷ ଚିତ୍ତେ ମୁଦୁସୁଲୀ

ଫେରଇ କୁମର ଘେନି ।

ସଜଳ ନୟନେ ଚାହିଁଛି ସୁନୀତି

ତନୟ ବାହୁଡ଼ା ପଥ,

ନେତ୍ରପଥେ ପଡ଼ି ଯାଉ ନାହିଁ ଛାଡ଼ି

ଛୁଞ୍ଚି ସମ କରେ ଘାତ ।

ଚିନ୍ତାଭରେ ଦେଖି ଚେତା ହଜିଗଲା

ଝଲସି ପିଣ୍ଡ ପଞ୍ଜରା,

ପ୍ରାଣପକ୍ଷୀଟି ତ ବିମୁକ୍ତ ସମୟେ

ତ୍ରସ୍ତେ କିମ୍ପା ଲୋଡ଼େ କାରା ।

କାରାଗାର ଯେବେ ସର୍ବ ସୁଖମୟ

ଉଦ୍ୟାନ କା’ ପାଇଁ ତେବେ ?

ଉଦ୍ୟାନ ରକ୍ଷକ ଭକ୍ଷକ ସାଜିଲେ

ଜନ୍ତୁ ବିନାଶ ଭଜିବେ ।

ଜନ୍ତୁ ନାଶ ଭବେ ଶ୍ରେୟସ୍କର ଯେବେ

ବିଚାର କାହିଁକି ଥାନ୍ତା,

ବିଚାରି ବିଚାର ହେଲେ ପକ୍ଷାନ୍ତର

ପ୍ରମାଣ, ସାଧେ ଅହନ୍ତା ।

ଅହନ୍ତା ସାଧନେ ଲଘୁ ଅପରାଧେ

ଗୁରୁ ଯେବେ ହୁଏ ଦଣ୍ଡ,

ଦଣ୍ଡ ଘାତେ ପ୍ରାଣୀ ଫୁକାର ଡିଣ୍ଡିମେ

କମ୍ପିବ ସାରା ବ୍ରହ୍ମାଣ୍ଡ ।

ବ୍ରହ୍ମାଣ୍ଡର ଦୈନ୍ୟ ଖବର ଯା ପାଶେ

ସେ କି ଚେତାଶୂନ୍ୟ ହେବ,

ହେଲେ ବି ବାର୍ଷିକ       ଅଧିବେଶନରେ

ଚିଠା କାହୁଁ ସମ୍ପାଦିବ ।

ଚିଠା ସମ୍ପାଦିବା ସାମାନ୍ୟ ହେବକି

ସେତ ରେଖାଗଣା ପାଠ,

ଯେଉଁ ପାଠ ଲାଗି ଶିକ୍ଷା ସଦନରେ

ଶିକ୍ଷକ ପ୍ରହାରେ ଛାଟ ।

ଛାଟଘାତେ ଯେହି ଉତ୍ତୀର୍ଣ୍ଣ ନୁହଇ

ବର୍ଜନ କରନ୍ତି ଗୁରୁ,

ଗୁରୁ ପରମାତ୍ମା ନିଷ୍ଠୁର ହେଲେ କି

ସୁନୀତି ଚିନ୍ତଇ ଦୂରୁ ।

ଦୂରୁ ଗିରି, ଦ୍ରୁମ ଦିଶଇ ସୁନ୍ଦର

ପାଶେ ଅତି ଭୟଙ୍କର,

ପାଶେ ଘେନି ଦାସୀ ପ୍ରବେଶିଛି ସୁତ

ଅଭିମାନେ ଜର ଜର ।

ସଶଙ୍କିତ ମନେ ପୁଛଇ ସୁନୀତି

ଧାତ୍ରୀରେ ଆକ୍ଷେପ ବହି,

‘‘କହ ଦୟାବତୀ– କିମ୍ପା ମୋ ସନ୍ତତି

ଚିତ୍ତ କାତରେ କମ୍ପଇ ।

ଘେନି ଯାଇଥିଲ ନୃପ ସନ୍ନିଧାନେ

ତହିଁ କି ହୋଇଛି କହ,

ଅମୂଲ୍ୟ ଭୂଷଣ କରି ବିଦାରଣ

ଶୋଣିତେ ଚିତ୍ର ତା ଦେହ ।

ମନସ୍ତାପ ନିଜେ ବହିଛି କି କେହି

ବିହିଛି ଦଣ୍ଡ ପଥରେ,

ନିଷ୍କଳଙ୍କ ଚନ୍ଦ୍ର ମୁଖ ମଉଳିଛି

ଭାସୁଛି ନୟନ ନୀରେ ।

ଶୁଖିଛି ସୁପକ୍ୱ ବିମ୍ୱ ଅଧର ତା

କଳା ମଧୁବ୍ରତଡୋଳା,

କୁଞ୍ଚିତ କୁନ୍ତଳ କେହ୍ନେ ଆରପାର

ତୋର ଦେଖୁ ଦେଖୁ ଦେଲା ।

ସଜ ସଉନ୍ଦର୍ଯ୍ୟ ଗୋଲାପ କଳି ମୋ

ଶୁଦ୍ଧ ସ୍ନେହ ବାରି ବିନା,

ପ୍ରଚଣ୍ଡ ଘାତରେ ଝାଉଁଳିଛି ଯାର

ତନୁ ନବନୀତ ଜିଣା ।

 

(ରାଗ–ମାଳବ)

 

ଶିଶୁ ଲୋଟେ ରୁଦ୍ଧ କଣ୍ଠେ ସ୍ପୁରେନା ବଚନ

ଖେଦ ଚିତ୍ତେ ଝରେ ନେତ୍ର ବାରି ଘନ ଘନ ।

ଅଧିରେ ଜନନୀ ତଳୁ ତୋଳି ଘେନି କୋଳେ

ଉଦରେ ଲଗାଇ ପୁଛେ ଅତି ସ୍ନେହ ଭରେ ।

ସଲିଳ ବଦନେ ସିଞ୍ଚି ନେତ୍ରୁ ପୋଛେ ଲୁହ

କିପାଁଇ ଅଧିର ହେଉ ଧନ ବେଗେ କହ ।

ରାଜ ତନୟ ତୁ ସ୍ନେହ ଧନ ପ୍ରଜାଙ୍କର

ସ୍ୱଭାବ ସୁନ୍ଦର ଗୁଣ କାନ୍ତି ମନୋହର ।

ତୋତେ ଦୁଃଖ ଦେବାକୁ କେ ଅଛି ଜଗତେ

କି କାରଣେ ଏତେ କାନ୍ଦୁ କହି ମୋ ଅଗ୍ରତେ ।

ସୁନୀତି ବଚନ ଶୁଣି ସୁତ ଖେଦ ମନେ

ଶ୍ୱାସରୁଦ୍ଧ କଣ୍ଠେ ଭାଷେ ଅଶ୍ରୁ ପୂର୍ଣ୍ଣାନନେ ।

ଶୁଣ ଗୋ ଜନନୀ କହେ ମୁଁ ତୋର ଅଗ୍ରତେ

ରାଜ ମହାଦେଈ ତୁମେ ବୋଲଅ କେମନ୍ତେ ?

ବିମାତା ସମ ତୁମକୁ ମଣନ୍ତି ଜଗତେ

ସେ ରାଜପ୍ରେୟସୀ ତୁମେ ଦୁର୍ଭାଗୀ କେମନ୍ତେ ।

କେଉଁ ମତେ ଉତ୍ତମ ବୋଲାଏ ସୁ-ତନୟ

କି କାରଣେ ମୁଁ ଅଧମ ସତ ମୋତେ କହ ।

ରାଜାସନେ ବସିବାକୁ ଆମ୍ଭେ ଦୁଇ ଭାଇ

ସେ ବସିବା ଯୋଗ୍ୟ ହେଲା ମୋତେ ଭୋଗ ନାହିଁ ।

ଉତ୍ତର ନାମକୁ ସେବା କହିଲା କେମନ୍ତେ

ତୋର ପୁତ୍ର ହୋଇ ମୁହିଁ ଅଧମ ଜଗତେ ।

ମୋହର ସୁକୃତ ଯେବେ ଏମନ୍ତ ହୋଇଲା

ଉତ୍ତମ ଉତ୍ତମ ସୁଖ କି ଲାଗି ପାଇଲା ?

ଜନନୀ ଗୋ ସତ କହ ଶୁଣିଣ ସୁନୀତି

ପୁତ୍ରର ବିଚାର ପ୍ରଶ୍ନେ ଅତି ଦୃଢ଼ମତି ।

ସ୍ତବ୍ଧେ ରହି ନିଶ୍ୱାସ ଛାଡ଼େ ଧୀରେ ଧୀରେ

ଧବ କ୍ରୋଧ ଶାନ୍ତ ପାଇଁ ବୋଲଇ ସୁ-ସ୍ୱରେ ।

 

ଶୁଣରେ ରଙ୍କ ପଶରା ମୋହର ବଚନ ।

ପୂର୍ବେ ଆମ୍ଭ ତପ ରାଶି ନୁହେ ବଳବାନ ।୧।

ଥିଲେ ତ ମିଳନ୍ତା ସବୁ ଲୋଡ଼ନ୍ତୁ କାହିଁକି ?

ହରି ଦେଇଛନ୍ତି ଦୁଃଖ ଆମ୍ଭରି ପାଇଁକି ।୨।

ତାଙ୍କୁ ଆରାଧନା କରି ପାରିଥିଲେ ପୂର୍ବେ ।

କିପାଇଁ ଅଧିର ହୋଇ କାନ୍ଦନ୍ତୁ ତୁ ଏବେ ।୩।

ହୁଅନ୍ତା ଏ ରାଜ ସୁଖ ଭୋଗ ଅକଣ୍ଟକ ।

ତୋ ଯଶ ଗୁଣ ଗାଆନ୍ତା ଚରାଚର ଲୋକ ।୪।

ସେବିନାହୁଁ ହରିହର ନାହିଁ ତାଙ୍କ ଦାୟା ।

ଥିଲେ କି ତୁ କାନ୍ଦି ଆସି କହିଥାନ୍ତୁ ଏହା ? ।୫।

ପ୍ରଭୁଙ୍କ କରୁଣା ଥିଲେ, ସେବକ ଜନର ।

ବଢ଼ଇ ଶିରି ସମ୍ପଦ କୀରତି ଅପାର ।୬।

ଆରଜନ୍ମେ ତୋର ମୋର କିଛି ତପ ନାହିଁ ।

ନ କାନ୍ଦି ଭୁଲିଯା ଦୁଃଖ ମୋର ମୁଖ ଚାହିଁ ।୭।

‘‘ମା ଗୋ ମୁହିଁ ସ୍ୱାୟମ୍ଭୂବ ମନୁ ବଂଶେ ଜାତ ।

କ୍ଷତ୍ରୀୟ ସନ୍ତାନ ଉତ୍ତ୍ୱାନ ପାଦଙ୍କ ସୁତ ।୮।

ଉଚ୍ଚ କୁଳେ ଜନ୍ମି କିଆଁ ଲାଞ୍ଛନା ସହିବି ?

ବୀର ପୁତ୍ର ମୁହିଁ ବୀର ପରିଚୟ ଦେବି ।୯।

କାନନରେ ପଶି ତବ ସାଧିବା ପାଇଁକି ।

ହରଷମନେ ବିଦାୟ ନ ଦିଅ କାହିଁକି’’ ? ।୧୦।

‘‘ସୁନୀତି କହେ ମୋ ଧନ ଅବୁଝା ନ ହୁଅ ।

ବଡ଼ ହେଲେ ବନେ ଯିବୁ କିଛିଦିନ ରହ । ୧୧।

ମୁଁ ଅଭାଗୀ ତୋ ବିହୁନେ ବଞ୍ଚି ନ ପାରିବି ।

ସର୍ବସ୍ୱ ହରାଇ ଝୁରି ଝୁରି ମରିଯିବି ।୧୨।

ତୁ ମୋର ଜୀବନ ଏହି ପିଣ୍ଡଟାକୁ ଛାଡ଼ି ।

ମୁକ୍ତ ପକ୍ଷୀଭଳି ଯେବେ ବନେ ଯିବୁ ଉଡ଼ି ।୧୩।

ଅନାଦର ପିଞ୍ଜରା ମୁଁ ହୋଇବି ରେ ଧନ ।

ଲୁଚାଇବୁ ଯେବେ ତୋର ଅମୂଲ୍ୟ ବଦନ ।୧୪।

ଅନ୍ଧାର ଘରକୁ ମନେ ଡରୁଥାଉ ତୁହି ।

ଆ ତୋତେ କୋଳରେ ଧରି ଶୁଆଇବି ନେଇ ।୧୫।

‘‘ଢଳିପଡ଼ିଲା ଚତୁର ଚାହିଁ ମାତା ମୁଖ ।

ଚୁମ୍ୱନ ଦେଇ ଜନନୀ ଭୁଲିଯାଇ ଦୁଃଖ ।୧୬।

 

(ରାଗ–ଚୋଖି)

 

ନିର୍ଜ୍ଜନ ରଜନୀ ରାଗେ କୁମାର ମନ ଉଦବେଗେ

ପ୍ରବେଶି କଳ୍ପନା ମାର୍ଗେ ଯାତନା ଜାଗେ,

ବନଜ ନୟନୁ ବନ       ବରଷୁଛି ଘନ ଘନ

ବନ ବିହାରରେ ମନ ଗମେ ସରାଗେ ।

ବାଳୁତ ବିମର୍ଷ ସନ୍ତାପେ,

ବେଳେ କ୍ଷିପ୍ତ ବେଳେ ଶୁପ୍ତ ଯାମିନୀ ଯାପେ ।୧।

ବିଷ ହେଲା ନିଦ୍ରାସନ ବର୍ଜି ସର୍ବ ପ୍ରିୟ ଧନ

ସଦନୁ ଗମନ ଇଚ୍ଛେ ବନଭୀ ମୁଖେ,

‘କର ଚରଣ’ ନ ଚଳେ ଯେ ଶିଶୁ ଜନନୀ କୋଳେ

କ୍ଷୀର ବିନା ନୀର ପାନ ନେତ୍ରେ ନ ଦେଖେ,

ଅରଣ୍ୟର ଦାରୁଣ ଦୁଃଖ,

ସହି ପାରିବ କି କହେ ହରି ହେ ରଖ ।୨।

ଉଠ ଖଟ ବାଡ଼ ଧରି ଶେଯୁ ଆସିଲା ଉତ୍ତୁରି

କତୁରୀ କାଟିଲା ପରି ଛାତି ଭିତରେ,

ମନରେ ଭରି ବିଷାଦ ଅନ୍ଧାରେ ବଢ଼ାଏ ପାଦ

ରୁଦ୍ଧ ହୁଏ ଶ୍ୱାସକଣ୍ଠ କାତର ଭରେ,

ଭାରାକ୍ରାନ୍ତ ଜୀବନ ନେଇ,

ଜନନୀକୁ ଭୁଲିଯାଏ କ୍ରୋଧାନ୍ଧ ହୋଇ ।୩।

ତୋରଣ ଶାନ୍ତ୍ୱନା ଦିଏ ପୁଣ ପୁଣ ଚେତିଆଏ

ଫେରି ଚାହାଁ ଧ୍ରୁବ ତୋର ଶୁପ୍ତା ଜନନୀ,

ବର୍ଜି ଯାନା ବନଘୋର ବିଜୟ ପଥରେ ତୋର

ସବାନ୍ଧବ ହୁଏ ଯାର ନୟନ ପାଣି,

ଶୁଣି କେତେ ନୋହିବ ଗୁଣି,

ତୋ ବନ ଗମନେ ସେ ସାଜିବ ବାୟାଣୀ ।୪।

ପିଟିବ ଧରାରେ ମାଥ ଦଣ୍ଡେ ହେବ ମୁରୁଛିତ

କରାଇ ଦେବ ସଚେତ ଅଛି କେ ଆଉ,

ଚୌଦିଗ ହେବ ଅନ୍ଧାର ଜୀର୍ଣ୍ଣ କ୍ଷୀଣ ଅଙ୍ଗେ ତାର

ମଞ୍ଜୁଳ ପରଶ ତୋର ଦେବ ବା କେହୁ,

ଏକାକିନୀ ନିରାଶ ଚିତ୍ତେ,

ହାରିବ ପରାଣ ପଡ଼ି ବିଜନ ପଥେ ।୫।

କେବା ହେବ ସାହା ତାର ନ କରୁ ତିଳେ ବିଚାର

ଚଞ୍ଚଳ ମାନସ ସ୍ଥିର କର କୁମାର,

ପ୍ରାଣେ ତା ଅସୀମ ଆଶା ମାତ୍ର ତୋ ବାହୁ ଭରସା

ଭବସାଗରେ ନ ଭସା ସୁଧା ସମ୍ଭାର,

ଫେରିଯାଅ ଜନନୀ କୋଳେ,

ଭୁଲ ନା ଯେ ଢାଙ୍କିଥିଲା ପିନ୍ଧି ଅଚଳେ ।୬।

ଫେରିଲା ନାହିଁ କୁମାର ଯେଉଁ ପଥେ ଅଗ୍ରସର

ସେ ପଥ ସୁଗମ ଅନ୍ୟ ତା ପକ୍ଷେ ଘୃଣ୍ୟ,

ଘୃଣିତେ ହୋଇବ ଗଣ୍ୟ ଧରା ଅଧିପତି ପଣ

ଧାରଣ କରନ୍ତି ପିତା ତାଙ୍କ ନନ୍ଦନ,

ଧିକ ପ୍ରାଣ ମରଣ ଶ୍ରେୟ,

ଜଗଦମ୍ୱା ଜନନୀ ଗୋ ଆଶିଷ ଦିଅ ।୭।

ମହିଷୀ ତନୟ ହୋଇ ଜନକ ଦିଗ ବିଜୟୀ

‘ଜାରଜ’ ଏ ବାଣୀ ଜିଣେ ବଡ଼ବା ନଳ,

ଜୀବନେ ମମତା ବହି ଯତ୍ନସମ ବଞ୍ଚି ରହି

ପ୍ରତିବାଦୀ ନୁହେଁ ଯା ଜୀବନ ବିଫଳ,

ସର୍ବାଙ୍ଗ ଶିରାରେ ଶୋଣିତ,

ଥିବାଯାକେ ପ୍ରତିକାର ତହିଁ ବିହିତ ।୮।

ହିଂସ୍ର ମୁଖେ ତନୁ ଗ୍ରାସ ନତୁବା ଅନଳେ ଝାସ

ଦେଲେ ବା ଆଶ୍ୱାସ ହେବ ତୀବ୍ରାପବାଦ,

ଅପବାଦ ବହନରେ ଅନ୍ତରେ ଗୁମୁରି ମରେ

ଗମି ଅରଣ୍ୟେ ଭୋଗିବ ବନ୍ୟ ସମ୍ପଦ,

ଯେ ସମ୍ପଦ ଦେବେ ଦୁର୍ଲ୍ଲଭ,

ତାହାଲାଗି ବର୍ଜିବସେ ରାଜ ବିଭବ ।୯।

ନ ଘେନିଲା ଶିଶୁ ହୃଦେ ଭୀଷଣ ତାପ ସଂକ୍ରୋଧେ

କଣ୍ଠରୁଦ୍ଧେ ଫୁ ଫୁ ନାଦେ ଚରଣ ଚାଳେ,

ଜୀବନେ ସୁଖ ସମ୍ପଦ ଜନନୀ ଯୁଗଳ ପଦ-

ପଙ୍କଜେ ଚିତ୍ତ ମୃଣାଳ ବିଶ୍ୱାସ ଜଳେ,

ମଜ୍ଜି ଚୁମ୍ୱେ ମାନସ ଅଳି,

ଚପଳ ପ୍ରାଣେ କୁମର ଘେନିଲା ତୋଳି ।୧୦।

ସୁଭାଗ୍ୟ ନେଉଛି ଟାଣି ରଚି ସୁସଞ୍ଚ ସରଣୀ

ଚାହିଁଥିଲା ରାଜପୁର କିଛି ଅନ୍ତରେ,

ମମତା ଏଡ଼ି କୁମାର ମନ୍ଦିରୁ ହୋନ୍ତେ ବାହାର

ପ୍ରବେଶି ମଣ୍ଡିଲା ଚିତ୍ତ ବରଣ ହାରେ,

ଶୁଭ ଶଙ୍ଖ ପ୍ରକୃତି ବାୟେ,

ନିର୍ଜନ ରଜନୀ ରାଣୀ ପାଛୋଟି ନିଏ ।୧୧।

ଝିଙ୍କାରୀ ଝିଲି ବିପଣୀ- ବାଦନେ ମାନସ କିଣି-

ନିଏ ନାନା କୀଟ ରବ ବାଦ୍ୟ ପ୍ରବଳ,

ପଲ୍ଲବୁ ଶିଶିର ଝରି ତାବଲା ବାଦ୍ୟ ସଞ୍ଚରି

ଦର୍ଦ୍ଦୁର ଗଭୀର ରବ ତହିଁ ମର୍ଦ୍ଦଳ,

କରତାଳି ଜୀର୍ଣ୍ଣ ପତରେ,

ଏକୁ ଏକ ଖସି ଲୋଟେ ଧରଣୀ ପରେ ।୧୨।

ସ୍ୱାଗତ କରେ ସମୀର ଲତାଦି ପାଦପବାର

ନୀର ସୁମନା ପରାଗେ ମଣ୍ଡିଲେ କାନ୍ତି,

ରାଶି ରାଶି ଜ୍ୟୋତିରିଙ୍ଗ ଚିତ୍ତରେ ଭରି ଆବେଗ

ବଳର ଗମନ ପଥେ ଜଳାନ୍ତି ବତୀ,

ନଭେ ବାଜି ବିଦ୍ୟୁତ ରଚେ,

କୁଟଜ କୁଟିଳ ମନେ ଚମ୍ପକ ବିଞ୍ଚେ ।୧୩।

ଚାରୁ ଚନ୍ଦ୍ରାତପ ଘେନି ସରାଗେ ସହସ୍ରଯୋନି

ଅମ୍ୱରେ ଛାଇଲା ଶୁଭ୍ର ବାଦଲ ପନ୍ତି,

ବାଳାଦିତ୍ୟ ସମବାଳ ଗମେ ଯେ ସଦା ଚପଳ

ଆଜି ଅଟଳ ଅଚଳ ଘେନି କା’ ପ୍ରୀତି ?

ଚଳେ ପ୍ରୀତି ବୋଳି ଲପନେ,

ରାଜନଗର ବାହାର ନ ବାରି ମନେ ।୧୪।

ଚିନ୍ତାମଣି ପାଦେ ଚିତ୍ତ ହୋଇଛି ପ୍ରତିବିମ୍ୱିତ

ପୀତ ପରିଧାନ ନେତ୍ରେ ନୃତ୍ୟ ରଚିଲା,

ପ୍ରକୃତି ତାଡ଼ନା ପାଇ ଚାହାଁନ୍ତେ ଚେତା ଫେରାଇ

କିଞ୍ଚିତ ପ୍ରମାଣେ ବିବେକ ଘୁଞ୍ଚିଗଲା,

ଚୋର ଭୟ ପ୍ରବେଶି କ୍ଷଣେ,

ଚହଳ ଜନ୍ମାଏ ତାର ସରଳ ପ୍ରାଣେ ।୧୫।

କାତରେ କମ୍ପେ ଶରୀର ନ ଶୁଖେ ନୟନ ନୀର

ବାଷ୍ପକଣ୍ଠେ ଶୁଷ୍କ ତୁଣ୍ଡ ରସନା ରସ,

ଅପାଙ୍ଗେ ଜଡ଼ିତ ଘର୍ମ ଗୁରୁ ଗଭୀର ଚରମ

ସ୍ତବ୍ଧ ପଦେ ନାସାରନ୍ଧ୍ରେ ରୁଦ୍ଧ ପ୍ରଶ୍ୱାସ,

ପ୍ରାଣ-ପକ୍ଷୀ ଯିବ କି ଉଡ଼ି,

ତ୍ରାସେ ନୟନ ପଲକ ହୁଏନା ଫେଡ଼ି ।୧୬।

ଶୁଣି ଲାଗଇ ଆତଙ୍କ ହିଂସୁକ ବନ୍ୟଜନ୍ତୁଙ୍କ

ଗର୍ଜ୍ଜନ ତର୍ଜ୍ଜନେ ଅଙ୍ଗୁ ଶୋଣିତ ଶୁଖେ,

ସାହା ଲୋଡ଼ିବ କାହାର ଦେବାକୁ ଆହା ଉତ୍ତର

ଜନଶୂନ୍ୟ ବନପଥେ ଅଛି ଅବା କେ ?

ଫେରିବାକୁ ନାହିଁ ଉପାୟ,

ଚୌଦିଗେ ସୌଭାଗ୍ୟ ଭୋଗ ଯାତନାମୟ ।୧୭।

ଦୁର୍ଘଟଣାର ଯନ୍ତ୍ରଣା ପରିସ୍ଥିତିର ତାଡ଼ନା

ମନ୍ତ୍ରଣା ଦିଏ ଅଜଣା ଅଛି କି ତୋତେ,

କଠିନ ଆବଦ୍ଧେ ମୁକ୍ତା ନାରିକେଳ ଫଳ ଯଥା

ଆଭରଣ ମଧ୍ୟେ ରସ ନୀର ସହିତେ,

ଭୋଗି ଭୋଗ ସାମାନ୍ୟେ ନୁହେଁ,

ଭୟଙ୍କରୀ ବାତ୍ୟା ବହୁ ଅଙ୍ଗେ ଲିଭାଏ ।୧୮।

ଆଘାତେ କାତର ହୋଇ ଇତର ପ୍ରାୟେକ ସେହି

ଜୀବନ ହାରିବା ନୁହେଁ ମାନବ ଧର୍ମ,

ଦେଲା ଯେ ଜଗତେ ସ୍ଥାନ ତା ପଦ ପଙ୍କଜେ ମନ

ବିସର୍ଜନ କରିବାହିଁ ମହତ କର୍ମ,

କର୍ମାର୍ଜିତ ଭୋଗ ବିଭବ,

କୃତକର୍ମ ମରଧାମେ ଶ୍ରେଷ୍ଠ କର୍ତ୍ତବ୍ୟ ।୧୯।

କର୍ତ୍ତବ୍ୟ ତା’ ମାତା ଗୀର ପାଳିବ ହିଁ ଶ୍ରେୟସ୍କର

ହରି ବିରଚିତ ଧାମେ ହରି କରତା,

ହରାଇ ନେଇ ସେ ପ୍ରାପ୍ୟ ଭରିଦିଅନ୍ତି ସନ୍ତାପ

କେଉଁ ଅପରାଧେ ସାଧୁଛନ୍ତି ଅହନ୍ତା,

ସେ ଯେବେ ବ୍ରହ୍ମାଣ୍ଡପାଳକ

ବ୍ରହ୍ମଦାହି ବୋଲନ୍ତି କି ବିଶ୍ୱନାୟକ ।୨୦।

ବିଶ୍ୱବିଶାରଦ ଜନେ ବୋଲୁଥାନ୍ତି ଅନୁକ୍ଷଣେ

ବିଶ୍ୱାସରୂପୀ ସେ ଆର୍ତ୍ତଭଞ୍ଜନ ହରି,

ବିପଦ-ବାହନେ ଆସେ ବିଶ୍ୱାସୀ ବଡ଼ିମା କଷେ

ବଦନ ବିମ୍ୱିତ ପାଶ ମୁକୁର ପରି,

ସରିସମ ନୋହି ଅନ୍ୟରେ,

ଭାବରେ ଦୂରୁ ନିକଟ ଅଭାବୁଁ ଦୂରେ ।୨୧।

ଏହା ଯେବେ ହୁଏ ସତ୍ୟ କିମ୍ପା ନ ମିଳେ ସାକ୍ଷାତ

ସନ୍ମୁଖ ପ୍ରଶ୍ନିୟ ଗୀରେ ମିଳନ୍ତା ତଥ୍ୟ,

ତଥାପି ବିଚାର କ୍ଷେତ୍ରେ ଅବିବେକୀ ନୁହେଁ କି ସେ

ଅଣୁମାତ୍ର ଦାନେ ଦିଏ ଅମୂଲ୍ୟ ହିତ

ହିତ କାଙ୍‍କ୍ଷୀ ପଦବୀ ବହି,

ହିମ ଗିରିସମ ଖେଦ ଦିଏ କିପାଇଁ ।୨୨।

ଏହି ରସେ ଅଗ୍ରସର ହୋଇଛି ରାଜକୁମାର

ଆସ କଉସ୍ତୁଭ ଧର କୌମୁଦୀ ଘେନି

ଯଥାର୍ଥ ଉତ୍ତର ଦିଅ ନତୁବା ହେ ଦୟାମୟ

ଚକ୍ରେ ଶିର ହର ଏହି କାମନା ବେନି,

ଗୁମାନୀ ଗରବ ନିବାରି,

ଗିରିସରି ଗୁରୁ ତପ ଦିଅ ବିଦାରି ।୨୩।

ଦଇତାରି ନାମ ତବ ଦରିଦ୍ର ଜନ ବାନ୍ଧବ

ମୋ ସମ ଅଧମ ନାଶି କି ଯଶ ନିଅ,

ଅବିଳମ୍ୱେ ଦିଅ ଦେଖା ଦରିଦ୍ର ସୁଦାମ ସଖା

ମନ୍ଦର ଟେକା ଶ୍ରୀ ବ୍ରଜରାଜ ତନୟ,

ଲୋଲୁପୀ ମୋ ମାନସ ଅଳି,

ତ୍ରସ୍ତେ ଲୋଡ଼େ ତବ ପଦ ଅତସୀ କଳି ।୨୪।

ବିନିଦ୍ରିତ ଅନାହାରେ କର ଚରଣ ନ ଚଳେ

ପୀଡ଼ାବଳେ ତରୁତଳେ ବିଶ୍ରାମ ଇଚ୍ଛି,

ହରି ସନ୍ଦେଶ ଦେବ କେ ଡରି ଅନାଏ ଚୌଦିଗେ

ଅଧିର ଚିତ୍ତେ ପାଦପ ଆଦିରେ ପୁଚ୍ଛି,

ପାଏନା ପ୍ରକୃତ ଉତ୍ତର,

ତଥ୍ୟ ବାରତା କେ ଦେବ କରେ ବିଚାର ।୨୫।

ହିଂସ୍ରାଦିରେ ପୁଚ୍ଛାକରି କୁହ କାହିଁ ଛନ୍ତି ହରି

ହରି ବିନା ସରିଯାଏ ପାଏନା ଦେଖା,

ସେ ଯେବେ ବିଶ୍ୱପାଳକ ଜଗତ ଜୀବନାୟକ

ଯାମଳାତାରକ ଗୋପ ମନ୍ଦରଟେକା,

ବକା, ଷଣ୍ଢା, ତୃଣା ବଇରୀ

ଜନ୍ମାନ୍ଧ ବିପ୍ରରେ ନୟନ ଦାନକାରୀ ।୨୬।

ଦେବ ନାହିଁ କି ଦର୍ଶନ ବେଳ ହୁଏ ଅବସାନ

ସାନ ଶିଶୁ ମଣି କିବା ମାନ କରୁଛ ?

ଗୁମାନ ଟାଳିବା ପାଇଁ ମୋର କି କ୍ଷମତା ନାହିଁ

ବୁଝିଛି ଯେ ମାରେ ତାକୁ ବେଗେ ତାରୁଛ,

ମାଡ଼ ତୁମ ଫୁଲ ଚନ୍ଦନ,

ତେଣୁ ବହିଥାଅ ହୃଦେ ଶ୍ରୀବତ୍ସ ଚିହ୍ନ ।୨୭।

ଠେଙ୍ଗା ଟେକି ଉଗ୍ରସେନ ପଥେ କଲା ଅପମାନ

ତା’ ପ୍ରତିଦାନ ରାଜନ ପଦବୀ ନେଲା,

ଜାରା ଶବର ସକ୍ରୋଧେ ନାରାଚ ବିନ୍ଧିଲା ପାଦେ

ବିଜାତି ପାତକ ନାଶି ମୁକତି ହେଲା,

କାଳୀୟ ଦଂଶିଲା ପୟରେ,

ପାଦ ଚିହ୍ନ ପାଚିଦେଲ ତାକୁ ଭୟରେ ।୨୮।

ଭବ ତାପ ହର ହରି ଶୁଣ ବାରେ ଶ୍ରୁତି ଡେରି

ଶରଣ ରକ୍ଷଣ ବାନା ଉଡ଼ାଅ ଯେବେ,

ଶଙ୍କାତୁର ଚିତ୍ତେ ଚିନ୍ତେ କୋଳେ ଟାଣିନିଅ ମୋତେ

ନତୁବା ନିଅ ମୋ ପ୍ରାଣ ବଇରି ଭାବେ,

କାମନା ମୋ କଳଙ୍କ ନୋହୁ,

କମଳନୟନ ତବ କୀରତି ରହୁ ।୨୯।

 

(ରାଗ–କଳହଂସ କେଦାର)

 

ନିର୍ଜନ ନିଶି ଅନ୍ତେ କୁମାର ମାତା

ସ୍ୱପ୍ନଜଡ଼ିତ ପ୍ରାଣେ ପ୍ରବେଶି ଚେତା ସେ

କର ବୁଲାଇ କୋଳେ ନୟନ ଖୋଲି

କମ୍ପିତ ଚିତ୍ତେ ଚିନ୍ତେ କି ନିଦ୍ରା ଗଲି ।୧।

ଥିଲା ମୋ ଅଙ୍କେ ମୋର ଲାବଣ୍ୟନିଧି

ହରି କେ ନେଲା କେଣେ ନ ଦିଶେ ବୁଦ୍ଧି ଯେ,

ଦେଖିଲି ଯାହା ସ୍ୱପ୍ନ ହେଲା କି ସତ୍ୟ

ଡାକୁଛି ଯେତେ କାହିଁ ଶୁଣେ ନାହିଁ ତ ।୨।

ମୋ ଡାକ ଶୁଣି ସ୍ତବ୍ଧ ଘର ବାହାର

ଇଙ୍ଗିତ ଭଙ୍ଗୀରେ ଦିଅନ୍ତି ଉତ୍ତର ଯେ,

‘‘ଲୋଡ଼ ନା ରାଜରାଣୀ ଜଳାଇ ବତୀ

ଲଭିଲାଣି ତୋ ସୁତ ଅକ୍ଷୟ ଗତି ।୩।

ଗତି ତା ଅବରୋଧ ସହଜ ନୁହେଁ

ଗଲା ଆସିବ ଫେରି ଦିନେ ସ୍ୱଦେହେ ସେ,

ନିୟତି ମନ୍ତ୍ରଣାରେ ପ୍ରେରିତ ଶିଶୁ

ଅଙ୍କ ମଣ୍ଡିବ ଫେରି ମୁକ୍ତ ଆକାଶୁଁ ।୪।

ଧୈର୍ଯ୍ୟ ଧର ସୁନୀତି ନୁହ ଅଧୀର

ଦିନେ ଲଭିବୁ ଅଙ୍କେ ସନ୍ତାନ ତୋର ଯେ,

‘‘କମ୍ପିତ ଅଙ୍ଗେ ଦେବୀ କାତର ପ୍ରାଣେ

ଧାଉଁ ଧକ୍କା ଲାଗିଲା ପୁର ତୋରଣେ ।୫।

ସ୍ରବିଲା ରକ୍ତ ଚନ୍ଦ୍ରମୁଖ ମଣ୍ଡଳୁ

ତୋଳି ପାରେନା ପିନ୍ଧା ଅଞ୍ଚଳ ତଳୁ ଯେ,

ଚଳେନା ମନ-ଅଳି ଅନ୍ୟ କୁସୁମେ

ହଜିଛି ତା କୁସୁମ କରମ ବାମେ ।୬।

ବାମ ଦକ୍ଷିଣ ଭାଗେ ନୟନ ଚାଳି

ଅନ୍ଧାରେ ଚଲାପଥ ପାରେନା କଳି ଯେ,

କଳି ହେଉଛି ରାଜପୁର ପ୍ରାଙ୍ଗଣ

କାଳିମା ବୋଳା ନିଶା ଭୀମ ଗର୍ଜନ ।୭।

ସେ ଗର୍ଜନେ ଗଭୀର ସ୍ୱରେ ସୁନୀତି’’

ଡାକେ ‘‘ରେ ଧ୍ରୁବ କେଣେ ଯାଇଛୁ ଲୁଚି ରେ,

ଲୁଚ ନା ଏଣେ ତେଣେ ନିଶାଭିମୁଖେ

ଆ, ମୋର ଧନ ତୋଳି ଧରିବି କାଖେ ।୮।

କାନ୍ଦୁଛୁ କିରେ କରେ ମୁଖ ଲୁଚାଇ

କରୁଣ କଣ୍ଠେ କଥା ନ ପାରୁ କହି ରେ,

କହିଥିଲୁ ତୁ ପରା ତୋ ମନ କଥା

ନୋହିଲା ଊଣା କି ସେ ଦାରୁଣ ବ୍ୟଥା ।୯।

ଲୋକ ମୁଖୁଁ ଶୁଣିଛି ମନ ବେଦନା

ମହତ ଶ୍ରବଣାନ୍ତେ ହୁଅଇ ଊଣା ରେ,

ଊଣା ନୋହିଲା କିମ୍ପା ତୋ ମନସ୍ତାପ

ବୁଦ୍ଧି ପାଇଲା ବେଳୁଂ ବେଳ ସନ୍ତାପ ।୧୦।

ସନ୍ତାପ ସ୍ରୋତେ ପଡ଼ି ଲୋଡ଼େ ମୁଁ ତୋତେ

ରେ ଦୁଃଖୀଧନ ଆଉ ଲୁଚନା ଏତେ ଯେ,

‘‘କରୁଣଭରା ଭାଷା କେତେ ପିପାସା

ଉଦ୍ୟମ ବ୍ୟର୍ଥେ ଉଡ଼ି ଯାଉଚି ହଂସା’’ ।୧୦।

ପାଦନୂପୁର ଗୋଟି ଗୋଟି ଖସଇ

କଟିରୁ ଓଢ଼ିଆଣୀ ପଡ଼ିଛି କାହିଁ ଯେ

ହୃଦୟ ରତ୍ନହାର ହଜି ଯାଇଛି

କର ବାଜୁ ପଞ୍ଚମେ ତାଳ ଦେଉଛି ।୧୨।

ଏକକ କର୍ଣ୍ଣଚାପ କର୍ଣ୍ଣେ ଅଛଇ

ଶିର ଭୂଷଣ ପୃଷ୍ଠଭାଗେ ଲୁଳଇ ଯେ,

ଯତ୍ନ ଆବଦ୍ଧ କେଶ ବାତେ କମ୍ପିତ

କରାଘାତେ ବିଶେଷ ଆଲୁଳାୟିତ ।୧୩।

ତଥାପି ଆଶାତୀତ ପ୍ରାଣେ ସୁକେଶୀ

ସନ୍ତାନ ଲୋଡ଼େ ଅନ୍ଦିକନ୍ଦିରେ ପଶି ସେ

କେତେକ ବେଙ୍ଗବେଙ୍ଗୀ ଅଣ୍ଡାଳେ ହାତେ

ମୂଷା ଚୁଚୁନ୍ଦ୍ରା ଆଦି ଗୋଧି ସହିତେ ।୧୪।

ବିଷାକ୍ତ ସର୍ପପ୍ରତି ଭ୍ରୂକ୍ଷେପ ନାହିଁ

ଆତୁର ପ୍ରାଣେ ମାତା ସୁତ ଲୋଡ଼ଇ ଯେ,

ନଗର ସୀମା ମଧ୍ୟେ ନ ଦେଖି ସୁତ

ସୀମା ଲଙ୍ଘିବା ମନେ ମଣେ ଅହିତ ।୧୫।

ଚିତ୍ତ ଚଞ୍ଚଳେ ନିଜ ମନ୍ଦିର ଧାଏଁ

ଧାଇଁଛି ମନ ଲିପ୍‍ସା ଯହିଁ ତନୟେ ଯେ,

ନୋହିଲା ଶାନ୍ତି ସତୀ ସନ୍ତାନ ବିନେ

ଝରଇ ନୀର ଧାର ବେନି ନୟନେ ।୧୬।

କପାଳେ କର ମାରି କରେ ରୋଦନ

‘‘କାହିଁଗଲୁରେ ମୋର ଅନ୍ଧ ନୟନ ରେ,

ଦୁଃଖିନୀ ଜନନୀର ରଙ୍କପସରା

ତୁ ମୋର ଇହ ପରକାଳ ଆଶରା ।୧୭।

ଗଲୁ ନ ନେଲୁ କିମ୍ପା ମାତା ପରାଣ

କାହିଁ ଲୁଚାଇଛୁ ତୋ ଚନ୍ଦ୍ରବଦନ ରେ,

ଗୋଲାପି ଅଧରରେ ଅସ୍ଫୁଟ ଭାଷା

ପରଶି ହରିଥିଲୁ ତାପ-ତପସା ।୧୮।

ହୃଦେ-ଖେଦ ନଦୀ ମୋର ହୁଏ ପ୍ରବଳ

ଆକୁଳ ପ୍ରାଣ ଖୋଜି ପାଏନା କୂଳ ରେ,

କେ ମୋ ଅଞ୍ଚଳ ଟାଣି କରିବ ଅଳି ?

‘‘କିଣିବ ଖେଳଣା କେ ଭଳିକି ଭଳି ।୧୯।

ଭୂଷଣ ନିର୍ମଳ ତୋ ଗତି ଚଞ୍ଚଳ

ଭାବି ଜଳଇ ହୃଦେ ଦାବ ଅନଳ ରେ,

ସପତ୍ନୀ ପ୍ରତିହିଂସା ତୀବ୍ର ତାଡ଼ନେ

ଲାଗିଥିଲା ଯେ ବହ୍ନି ମନ-କାନନେ ।୨୦।

ତୋ ରୂପ ମନ୍ଦାକିନୀ ପରଶ ପାଇ

ଲିଭିଥିଲା ସେ ଏବେ ତେଜି ଉଠଇ ରେ,

ଉଠିଆ ଧନ କାହିଁ ଶୋଇଛୁ ନିଦେ

ଶୁଣା ତୋ ସୁମଧୁର ବଚନ ପଦେ ।୨୧।

ପଦ ପଦକେ ଝୁଣ୍ଟିପଡ଼ୁ କଚାଡ଼ି

ଆଜି ଏକାକୀ କେଣେ ଯାଉଛୁ ଛାଡ଼ି ରେ,

ତୁ ମୋତେ ଛାଡ଼ିଗଲୁ ମୁଁ ଛାଡ଼ି ନାହିଁ

ଯଷ୍ଟି ବିନା କି ଅନ୍ଧ ଚଳିପାରଇ ।୨୨।

କୁଳକଳଙ୍କୀ ମୋତେ ବୋଲନ୍ତି ଜନେ

ଏବେ କି ନ ବୋଲିବେ ତୋର ବିହୁନେ ରେ,

ବଜ୍ରେ ପର୍ବତ ଯେହ୍ନେ ହୁଅଇ ଚୂରି

ତୋ ବିହୁନେ ମୁଁ ଯିବି ତେସନେ ସରି ।୨୩।

ସରିବି ଏକା ଝୁରି ମରିବି ନାହିଁ

ମଲେ ମୁଁ ଚିନ୍ତାନଳେ କେ ହେବ ଦହି ରେ

ଦହି ହେଉଛି ପଞ୍ଚ ପରାଣ ମୋର

ଇନ୍ଧନ ଚିରେ ଯେହ୍ନେ କରତକାର ।୨୪।

କା’ର କ୍ଷମତା ଅଛି ନିବର୍ତ୍ତାଇବ

ନ ଯାଇ ରହିଛି ଏ ନିର୍ଲ୍ଲଜ ଜୀବ’’ ରେ

‘‘ଜୀବିକା ବ୍ରଜ ଯେହ୍ନେ ସାମନ୍ତ ମତି

ନୀର ଅଭାବେ ଯେହ୍ନେ ତରାଇ ଗତି ।୨୫।

ବୋଇତ ବିନା ଯେହ୍ନେ ବାଣିଜ୍ୟକାର

ବିଜୁଳି ବିନା କାରଖାନା ପ୍ରକାର ଯେ,

ତା’ ତହୁଁ ଗୁରୁତର ବିପନ୍ନା ହୋଇ

ଶିଶୁ ହରାଇ ମାତା ପ୍ରାଣ ଧରଇ ।୨୬।

Image

 

(ରାଗ–କୌଶିକ)

 

ପ୍ରାଚୀ ନଭୋ ଭାଗେ ଲୋହିତ ବରଣେ

ସହସ୍ର କିରଣ ବିତରି

ସାନୁଜ ଅରୁଣେ ଚାହିଁ ଛାୟାସାଇଁ

ବୋଲନ୍ତି ବଚନେ ତିଆରି

ଶୁଣ ଚତୁର, ପ୍ରୀତି ବିନା ପୃଥ୍ୱୀ ଝୁରଇ

ସାଧନା ସାର୍ଥକ ପ୍ରାଣୀର ସର୍ବଦା

ଆକାଙ୍‍କ୍ଷିତ ଫଳ ଫଳଇ ।୧।

କିନ୍ତୁ ପ୍ରୀତି ପଥ ଅତିହିଁ ଅଦ୍ଭୁତ

ଦ୍ରବୀଭୂତ ତା ସହଚର

ସହସା ପ୍ରତିହିଂସା ଅନଳେ ରସା

ପ୍ରୀତି ବୀଜ କରେ କବଳ

ଭବେ ସବଳ, କୃଷକ କେଦାରେ ଅଙ୍କୁରେ

ନତୁବା ମିତ୍ର ମମତା ଏଡ଼ି

ଶକ୍ତିହୀନ କ୍ଷେତ୍ରେ ରହି ନ ପାରେ ।୨।

‘‘ପ୍ରୀତି କିସ ଭାଇ’’ ବୋଲନ୍ତେ ଅରୁଣ

ସେ ବୋଲନ୍ତି ସ୍ନେହ କେବଳ

ପରସ୍ପରେ ଜଡ଼ୀ- ଭୂତ କରିବାରେ

ଧରଣୀବାସୀଏ ଦୁର୍ବଳ

ସେଥି କେବଳ, ଅହମିକା କରେ କବଳ

ପରଶ୍ରୀ ଦେଖି କାତର ହେବା ପ୍ରାଣୀ

ଜୀବନ ଧାରଣ ବିଫଳ ।୩।

ପ୍ରୀତି ଶସ୍ୟ ଯଦି ସୁଗମେ ହୁଅନ୍ତା

ଅଭାବ ହୋନ୍ତା କି ଧରାରେ

ସହସ୍ରାଂଶୁ ନାମ ବହି ସସ୍ର ରଶ୍ମି

ସାଥେ ସ୍ୱଚ୍ଛେ ନିତି ବିତରେ

ବ୍ୟର୍ଥ ସେ ସର୍ବ, ଧରାରକ୍ଷକ ଶକ୍ତିହୀନ

ନୋହିଲେ କି ସୁକୁ- ମାର ରାଜଶିଶୁ

କାନନେ କରନ୍ତା କ୍ରନ୍ଦନ ।୪।

ବୈନତେୟ ଧୀରେ ପ୍ରଶ୍ନବାଚୀ ସ୍ୱରେ

ବୋଲେ କେ ଶିଶୁ ରୋଦେ କାହିଁ

ସନ୍ଦେହ ଫେଇ ବୋଲନ୍ତି ସହୋଦର

ଅଭୁତ ପ୍ରାୟ ମୁଁ ମଣଇଁ

ମାତ୍ର ଶୁଣଇ, ଛଳନା କି ମନେ ଗୁଣଇ

‘‘ଗୁଣି ହେବ ମୂଲ୍ୟ- ହୀନ ହେବ ତବ

ବୟୋଜ୍ୟେଷ୍ଠ ସ୍ୱଭାବେ ମୁହିଁ’’ ।୫।

ଗୁରୁଜନ ବାଣୀ ଅଲଙ୍ଘ୍ୟ ବୋଲି କି

ଅଯୁକ୍ତିକୁ ଯୁକ୍ତି ମଣିବି

ମୋତିକୁ ମର୍କଟ ବୋଲୁଥିଲେ ହଟ-

ପଣେ ଏଥୁଁ କିସ ଜାଣିବି

ମୋରେ ତା’ ବିନା, ପ୍ରତ୍ୟକ୍ଷ ପ୍ରମାଣ ଦେଖାଅ

ଅଭୁତ ପ୍ରସଙ୍ଗ ପ୍ରକାଶି ଅଯଥା

ଜନ୍ନାଇ ଦିଅନା ସନ୍ଦେହ ।୬।

ସ୍ନେହମିଶା ଭାଷ, ଭାଷନ୍ତି ଦିନେଶ

‘‘ଅରୁଣ ତୁ ବଡ଼ ଉଦ୍ଧତ

ନୋହିଲେ କି ଅନ୍ୟ ସର୍ବନାଶ କାଳେ

ବୋଲନ୍ତୁ ପୁଣି ଅଯଥାର୍ଥ

ତେଣେ ଚାହାଁତ, ଉତ୍ତାନପାଦ ରାଜ ସୀମା

ଉତ୍‍ଫୁଲ ପଦ୍ମ- ପରାୟ ସର୍ବ ପ୍ରାଣୀ

ଅନ୍ତରେ ବିଷାଦ ତ୍ରିଯାମା ।୭।

ରାଜ ଦରବାରେ ପରିଜନ ମେଳେ

ସଚିବ ବେଷ୍ଟିତ ପ୍ରାଙ୍ଗଣେ

ଶତ କୁଶାଙ୍କୁର ଫୁଟିଛି କି ଅଙ୍ଗେ

ବସିଛନ୍ତି ମ୍ଳାନ ବଦନେ

ବେନି ନୟନେ, ସଲୀଳ ଝାପ୍‍ସା ଉକୁଟାଇ

କ୍ଷୀଣ କଣ୍ଠସ୍ୱରେ ବୋଲନ୍ତି ରାଜନ,

ସଭାକାର୍ଯ୍ୟ ଦିଅ ତୁଟାଇ ।୮।

ମଉଳିଛି ଆଜି ସଭା ସଦସ୍ୟଙ୍କ

ସରାଗ ସୁମନା କାହିଁକି ?

ଧ୍ରୁବ ବିଚ୍ଛେଦ ପ୍ରଚଣ୍ଡ କର ଆଉ

ନିର୍ବାପିତ ହେବ ନାହିଁକି ?

ଚାହେଁ ଯେଣିକି, ଦିଶୁଛି ଧାଏଁ ସେ ତେଣିକି

ଘୃତ, ମଧୁ, ଖଣ୍ଡ ଶାକର ମିଶ୍ରିତ,

ପ୍ରୟୋଗି ଅସ୍ଫୁଟ ବାଣୀକି ।୯।

ଗ୍ରୀଷମେ ଚନ୍ଦନ କସ୍ତୁରୀ ସର୍ବାଙ୍ଗେ

ହିତକର ସିନା ହୁଅଇ

ହିମରେ ଅହିତ ଅହି ସମ ସେତ

ସର୍ବଜନ ମନ ମଣଇ

ତୀକ୍ଷ୍ଣ ତା ତହୁଁ, ଶତ ଗୁଣେ ଧ୍ରୁବ ବିରହ

ଧରଣୀର ତରୁ- ଲତାଦି ପରାଣେ

ପ୍ରକାଶ ପାଏନା ଉତ୍ସାହ ।୧୦।

ଭାଙ୍ଗି ଦେଇଗଲା ହୃଦ ଦମ୍ଭ-ତରୁ

ଭାଷା ନ ଆସେ ମୋ ବଦନେ

ଯେଣେ ଚାହେଁ ତେଣେ ମନ୍ଥର ଗମନେ

ଆଙ୍କି ହୋଇଯାଏ ନୟନେ

ନିଶି ଶୟନେ, ସ୍ୱପ୍ନେ ଦିଶେ ତା ଅବୟବ

ଆହାର ବିହାର ଦିଅନ୍ତି ଉତ୍ତର

କେଣେ ଯାଉଛି ପୁତ୍ର ଧ୍ରୁବ ।୧୧।

ତା’ ବିହୁନେ ଝୁରି ଯାଉ ନାହିଁ ସରି

କାହିଁକି ଭବଲୀଳା ମୋର

ଅବିଦ୍ୟା ଆନନ୍ଦ- ବର୍ଦ୍ଧନ ସୁଧାଂଶୁ,

ତେଜିଛି ଏ ପିଣ୍ଡ ଚକୋର

ଗତି ମାତର, ତା’ ଚଲାପଥେ ଅଗ୍ରସର

କେବଳ ବଚନେ ପ୍ରକାଶୁଛି ସତେ

ସମ୍ଭବ ହେବ କି ଯିବାର ।୧୨।

ପାଷାଣୀ ସୁରୁଚି ଏହା ଥିଲୁ ପାଞ୍ଚି,

ଭିନ୍ନ କଲୁ ପିଣ୍ଡ ପରାଣ

ବେନି ପତ୍ନୀକ ହେବାର ସୁଖ ଶିରୀ

ବର୍ଦ୍ଧନ ସଙ୍ଗତେ ମରଣ

ଆଲୋ ପିଶାଚୀ, ହୃଦୟ କି ତୋର ପାଷାଣ

ସୁଦିନେ ଦୁର୍ଦ୍ଦିନ ଘଟାଇ ତୋଳିଛୁ

କହ କେଉଁ କର୍ତ୍ତୀ-କେତନ ।୧୩।

‘‘ଏକାଳେ କ୍ଷଣ- ପ୍ରଭା ସମ ସୁରୁଚି

ପ୍ରବେଶ ସଭା ମଧ୍ୟସ୍ଥଳେ

ତୀକ୍ଷ୍ଣ ସ୍ୱରେ ଭାଷା ପ୍ରୟୋଗେ ସୁକେଶା

ବାସ ଲୋଟେ ପୃଷ୍ଠ ଦେଶରେ

ଅଟ୍ଟହାସ୍ୟରେ, ବିଦ୍ରୂପ ରଙ୍ଗ ଚହଟାଇ

ବୋଇଲେ ରାଜନ ସମ ଭୀରୁ ପ୍ରାଣୀ

ଅନ୍ୟ କାହିଁ ଥିବେ କି ନାହିଁ ।୧୪।

ଆଦେଶ ମାତ୍ରକେ ବିନ୍ଧାଣୀ ପ୍ରବେଶି

ଆସନେକ କରେ ନିର୍ମିତ

ଛତିଶା ନିଯୋଗି ଉଦ୍ୟମେ ମହିଷୀ

ପୀଠ କରାନ୍ତି ଅଳଙ୍କୃତ

ରତ୍ନଖଚିତ, ସିଂହାସନେ ଉପବେଷ୍ଟିତ

ସଂଖ୍ୟାଧିକ ଶ୍ୱେତ ଆଲଟ ଚାମରେ

ନବ ସେବାୟତ ନିଯୁକ୍ତ ।୧୫।

ପ୍ରୀତିବୋଳା ଭାଷା ପ୍ରୟୋଗେ ସୁକେଶା

ଶୁଣ ସଚିବ ସୁମନରେ

ସୁମନା ସଦୃଶ ଏ ରାଜ୍ୟେ ସଦର୍ପେ

ଅରାତି କୀଟ ଭେଦିପାରେ

ଶତ୍ରୁ ସମରେ, ଶର ସନ୍ଧିବା ବୀରଶୂନ୍ୟ

ସସୈନ୍ୟେ ଗନ୍ଧର୍ବ- ପତି ବହୁବାର

ଫେରିଛି ପାଇ ଅପମାନ ।୧୬।

ଏ ବେଳେ ଦୁର୍ବଳ ହେଲେ ମହୀପାଳ

ହିତ କି ଚିତ୍ତରେ ବିଚାର

ସମୟ ଚକ୍ରରେ ସମରେ ପଶିବି

ସ୍ୱହସ୍ତେ ଘେନି ଧନୁଶର

ଶିଶୁ ବେଳର, ଜନକ ଶିକ୍ଷା ଅନିର୍ବାର

କାନନେ ଭ୍ରମି କରଗତ କରିଛି

ହିଂସ୍ର ବନ୍ୟ ପ୍ରାଣୀ ଶିକାର ।୧୭।

ଉତ୍ତମ କୁମାର ଦିଅଇ ଉତ୍ତର

ଶିକାରୀ ସାଜିଦେ ମୋତେ ମା’

ସୈନ୍ୟ ସହ ବନେ ପରଖି ଆସିବି

ନିଜ କ୍ଷତ୍ରୀ ବିଦ୍ୟା ଗାରିମା

ବୀର ସନ୍ତାନ, ଭୀରୁତା ସାଜିବା ସାଜେନା

ଅନୁମତି ହେଲେ ଶିକାର ଉଦ୍ୟମେ

ଗରଜିବ ବୀର ବାଜଣା ।୧୮।

‘ବାଜଣା ବାଜିବଶ୍ରବଣେ ବାଜନ୍ତେ

କଷଣ ମଣିଲେ ରାଜନ

ମରଣ ମାତ୍ରକ କାରଣ ହେବ କି

ମନେ ଗୁଣି ହେଲେ ଦ୍ୱିଗୁଣ

ମାତା ବଚନ, ବୋଲନ୍ତି ଶୁଣରେ ନନ୍ଦନ

ବୀର ପରିଚୟ ଦେଇଛି କେବଳ

ଧ୍ରୁବ ତେଜି ସୁଖ ସଦନ ।୧୯।

‘ସଦନ ବର୍ଜନ ବୀର ପରିଚୟ

ଦେଇଛି ଧ୍ରୁବ ସୁଚତୁର’

ବିମାତା ଭବନେ ଧାଏଁ ହୃଷ୍ଟ ମନେ

ଲଭିବ ତଥ୍ୟ ସମାଚାର

ଚାହିଁ ସୁନୀତି, ଗଣ୍ଡେ ଆଙ୍କିଦେଲେ ଚୁମ୍ୱନ

କହ ରଙ୍କନିଧି ସୁଷମା ବାରିଧି

କି ଲାଗି ତୋର ଆଗମନ ।୨୦।

କହଇ କୁମାର ସ୍ନେହମୟୀ ମୋର

ଜନନୀ ଉପଦେଶ ଘେନି

ବନ ବିହାରରେ ଭ୍ରାତୃ ଉଦ୍ଦେଶ୍ୟରେ

ବାହିବି ଅସଂଖ୍ୟ ବାହିନୀ

ଦିଅ ମେଲାଣି, ସାଜି ମୋ କଟିରେ କାଛେଣି,

ମନ ଛନ ଛନ ହୁଏ ଆଜି ଦିନ

ସୁଯୋଗେ ପାହିଛି ରଜନୀ ।୨୧।

ଚମକି ସୁନୀତି ବୋଲନ୍ତି ରେ ଧନ

କି କଥା ଉଚ୍ଚାରୁ ମୁଖରେ

ତୋ ଲାଗି ତୋ ତାତ ମାତ ଆମ୍ଭେ ପ୍ରାଣ

ଧାରଣ କରିଛୁ ଦୁଃଖରେ

ଜୀବ ଜୀବନ, ସେ ପଥେ ବଳାଅନା ମନ

ଗଲା ପଥେ ଧ୍ରୁବ ଯାଇଛି ତୁ ଗଲେ

ରାଜପୁର ହେବ ଶ୍ମଶାନ ।୨୨।

‘ଚରଣେ ପ୍ରଣତି ଜଣାଏ ଘେନ ମା’

ବାରଣ କରନା ବଚନେ

ସେବାୟତ୍ରୀ ଦ୍ୱାରେ କଟାଳ କରଇ

ପ୍ରବେଶି ଜନନୀ ପ୍ରେରଣେ

ତୁମେ କାନ୍ଦନା, ବିଭୁ ପଦ କର ବନ୍ଦନା

ଫେରି ଭାଇ ଧ୍ରୁବ ମଣ୍ଡା ଅଙ୍କ ତବ

ଏହି ମାତ୍ର ମୋର କାମନା ।୨୩।

‘‘ହୃଦେ ଦାବାନଳ ଜାଳି ନୃପବାଳ

ପ୍ରବେଶି ମାତା ସନ୍ନିଧାନେ

ଟାଣି ପିନ୍ଧାଞ୍ଚଳ କଟାଳେ ଚଞ୍ଚଳ

ସାଜିଦେ ମା’ ଯୁଦ୍ଧ ଭୂଷଣେ

ଶୁଣି ସୁରୁଚି, ବଦନେ ବିଷାଦ ଘାରିଲା

ଚଳା ଅହି ସମ ସଦନେ ଗମନ୍ତେ

ନୃପ ଚିତ୍ତେ ଖେଦ ଭରିଲା’’ ।୨୪।

ପିଙ୍ଗଳ ବରନ ଉତ୍ତରୀୟ କରେ

ଲୋତକ ନିବାରି ଅରୁଣ

ଆଶ୍ୱାସି ବାରୁଣୀ ଦିଗ ଅନ୍ତରାଳେ

ହସି ଭାଷିଲେ ବିକର୍ତ୍ତନ

ସ୍ମୃତି କେବଳ, ଶରଦେ ପତନ ଶିଶିର

ପାଟଳ ବରଣ ଅଧରେ ବଚନ

ବୋଲନ୍ତି ବିନତା କୁମର ।୨୫।

‘ଅଛି ଯାର ଯହିଁ ନ୍ୟାଯ୍ୟ ପ୍ରାପ୍ୟ ଏହି

ନୁହେ କି ତା ପୂର୍ବ ସଞ୍ଚିତ

ଔରସ ସନ୍ତାନ ପିତା ଅଙ୍କ ଭୋଗ

ଆସନରୁ ହେଲା ବଞ୍ଚିତ

ଧରା ଧୀମନ୍ତ, ମଣ୍ଡଳ ହେଲା କି ବିଲୁପ୍ତ

ଯୁକ୍ତିଯୁକ୍ତ ଭାଷା ଦର୍ଶାଇବା ଲାଗି

ନ ହୋଇଲେ କେହି ସମର୍ଥ ।୨୬।

ସର୍ବେ ବ୍ୟକ୍ତିଗତ କଳ୍ପନା-ସଉଧ-

ଶିଖର-ଗୁଣିକ ବୋଲାନ୍ତି

ବାସ୍ତବ ସମୟେ ତାଙ୍କ ଦିବ୍ୟ ନେତ୍ର

ଶିଖୀ ପୁଛେ ସମ ହେଲା କି

ବୃଥା ମୁଖେ ସେ, ବୋଲନ୍ତି ‘ଆମ୍ଭେ ସର୍ବଶ୍ରେଷ୍ଠ

ଯେ ଯାହାର ଅର୍ଜିଲା ଫଳ ଘେନିଗଲା

ଆମ୍ଭେ ସାକ୍ଷୀ ସ୍ୱରୂପ ମାତ୍ର ।୨୭।

ସାକ୍ଷୀ ବୋଲି ଯାହା ବୋଲନ୍ତି ବିଧର୍ମୀ

ଜନ ପକ୍ଷେ ଏହା ବିରଳ

ଶ, ଚ୍ୟୁତେ, କ, ଦତ୍ତ କରାଇଲେ ଯାହା

ମଧ୍ୟେ, ଆ, ରଖି ଘେନ ଫଳ

ସ୍ୱଚ୍ଛ ପରଳ, କରେ ତାଙ୍କ ନେତ୍ର କବଳ

ଦୁର୍ବଳ ସମ୍ୱଳ ବଳଶାଳୀ ହରେ

ନୁହେଁ କେ ଯେଣୁ ପ୍ରତିକୂଳ ।୨୮।

‘ଅବସାନେ ବିବ- ଶ୍ୱାନଙ୍କ ବଚନ

ବିଜନ କାନନେ ନନ୍ଦନ

ନୟନ ମେଲି ଅଦୂରରୁ ଲଭିବ

ସପ୍ତ ମହାଋଷି ଦର୍ଶନ

ଅତ୍ରି, ଅଙ୍ଗିରା, ମରୀଚି, କ୍ରତୁ, ପଉଲସ୍ତି

ପୁଲ୍ଲହ ଆଦି ଷଷ୍ଠ ସତୀର୍ଥେ ଘେନି

ବଶିଷ୍ଠ ବୈକୁଣ୍ଠେ ଗମନ୍ତି ।୨୯।

 

(ରାଗ–ରାମକେରୀ)

 

ପ୍ରାଚୀଦିଗେ କିଏ ଚାଳି ଦେଲା କି ରକ୍ତି ମତୁଳି

ହସି ଉଡ଼ିଯାନ୍ତି ଆକାଶେ ପକ୍ଷୀ ଦମ୍ପତି ମିଳି ।

ଚକିତେ ଚମକି ଚାହିଁଲା ଶିଶୁ-ରାଜକୁମାର

ଅଦୂରୁ ଆଶ୍ଚର୍ଯ୍ୟ ଦେଖିଲା ପ୍ରଭା କି ଚମତ୍କାର ।

ଜଗା, କଉପୀନ, ବିଭୂତି, କୃଷ୍ଣ ଅଜିନଧାରୀ

ଦଣ୍ଡ କମଣ୍ଡଳୁ ଲୋଳିତ ଚର୍ମା ବନବିହାରୀ ।

ଯଜ୍ଞ ଉପବୀତ ଉତ୍ତରୀ ଗ୍ରୀବା ମଣ୍ଡନ କରେ

ପ୍ରଶାନ୍ତ ପ୍ରସନ୍ନ ବଦନେ ସୁଧା ଲହରୀ ଖେଳେ ।

ଲଲାଟେ ତିଳକ ଉନ୍ମିଳ ନେତ୍ରେ ମନ୍ଥର ଗତି

ଗଳେ ନାନା ଜାତି ଋଦ୍ରାକ୍ଷ ନାଭି ଦେଶ ମଣ୍ଡିଛି ।

ପ୍ରଭାକର ସମ ପ୍ରକାଶି ପ୍ରଭା ଆସନ୍ତେ ଧୀରେ

‘ମୋର ପ୍ରାଣ ପ୍ରଭୁ ଆସନ୍ତି ଧ୍ରୁବ ମନେ ବିଚାରେ ।

ତୋଳି ନେବେ ମୋତେ କୋଳକୁ ତାଙ୍କୁ ଚାହିଁବି ଡୋଳେ

ଆଶ୍ୱାସି ଦେଉଁ ମୋ ମସ୍ତକ କରେ ଧରିବି ଭୋଳେ ।

ଧରୁ ଧରୁ ଖସିଯିବି ମୁଁ ତାଙ୍କ ମଞ୍ଜୁଳ କରୁ

ଡରୁ ଡରୁ ନେବେ ଟାଣି ସେ ମୋତେ ଦେଶି ଦୂରରୁ ।

ମନା କରୁ କରୁ ଲୋଟିବି ତାଙ୍କ ଚରଣ ତଳେ

ସରୁ କଣ୍ଠେ କଥା କହିବି ଚାହିଁ ଲାଜୁଆ ଡୋଳେ ।

ଶିଶୁ ଜୀବନରେ ଭାବନା ଆଉ କାମନା ଯେତେ

ସେ ସୁଅରେ ଭାସି ସୁଦୂର ପ୍ରଭା ନିକଟ ହୋନ୍ତେ ।

ଆଶ୍ଚର୍ଯ୍ୟ ମଣଇଁ ଏ ଛବି ଦେବତା, କି ଦାନବ

ହରଷେ ବିରସ ପ୍ରବେଶି ଭାବ କଲା ବିଭାବ ।

ଦିଶେ କେତେ ଲମ୍ୱ ମୂରତି କେତେ କର ଚରଣ

ଅତି ବିକଳାଙ୍ଗ ଆକୃତି ଏକି ନେବ ମୋ ପ୍ରାଣ ।

ପ୍ରାଣ ଯିବ ପଛେ ବଣରେ ବୁଲି କେଉଁ କାରଣ

ପୁତ୍ର ହୋଇ ଯେବେ ନ ପାଏ ପିତା ଅଙ୍କ ଆସନ ।

ଧିକ ତା ଜୀବନ ଧିକ ତା ଗତ ଜନମ କୃତ

ତହୁଁ ଅତି ଧିକ ହୁଏ ତା ଗର୍ଭଧାରିଣୀ ମାତ ।

‘‘ଦୂରରୁ ନିକଟ ହୋଇଲେ ଯହୁଁ ସପତ ଋଷି

ଭୀତି ପରିହରି ଚାହିଁଲା ଧ୍ରୁବ ନିକଟେ ବସି ।

ଏକ କି ସପତ ହୋଇଛି ଏହା, ଆଶ୍ଚର୍ଯ୍ୟ ମଣେ

ଦିନମଣି ମଣିଥିଲା ସେ ଦେଖି ଅଦୂରୁ ଜଣେ ।

ସେହି ଏକ ହେଲା ସପତ ମନେ ସନ୍ଦେହ ହୁଏ

ଏକା ଅବୟବ ଭୂଷଣ କିଛି ବାରି ନ ହୁଏ ।

ଏ କି ଅଘଟନ ଘଟିଲା କିବା କେ ଘଟାଇଛି

କିଅବା ସେ ଇଚ୍ଛାମୟଙ୍କ ଇଚ୍ଛା ପୂର୍ଣ୍ଣ ହେଉଛି ।

ସୁକୁମାର ରାଜକୁମାର କିଛି ଜାଣଇ ନାହିଁ

ଆଶାତୀତ ପ୍ରାଣେ ଆସନୁ ଉଠେ ମୁନିଙ୍କୁ ଚାହିଁ ।

ଯୋଡ଼ି ବେନିକର ମସ୍ତକେ ଦେଇ ବିନୟେ କହେ

ପର ମଣ ନାହିଁ ଦେବତା ମୁହିଁ ଅନ୍ୟ କେ ନୁହେଁ ।

ଉତ୍ତାନପାଦ ମୋ ପିଅର ମାତା ସୁନୀତି ହୋଇ

ବିଅର୍ଥ ମୋ ଜନ୍ମ କି ହେବ ଧ୍ରୁବ ନାମ ବୋଲାଇ ।

ପ୍ରବଳ ଆଶା ମୋ ମନରେ ଅନାଥ ମୁଁ କାନନେ

ସନାଥ ହୋଇଛି ନିକଟେ ତବ ପଦ ଦର୍ଶନେ ।

ଏ ମୋର ନୈରାଶ୍ୟ ଜୀବନ ଥିବା କି ପ୍ରୟୋଜନ

ନୃପାସନୁ ହେଲି ବଞ୍ଚିତ ନାହିଁ ଆଜନ୍ମୁ ପୁଣ୍ୟ ।

ତପ ଅରଜନ ଉଦ୍ଦେଶ୍ୟେ ପ୍ରବେଶିଲି ଅରଣ୍ୟେ

ଉପଦେଶ ଦିଅ ମହର୍ଷି ମୋର ଚପଳ ପ୍ରାଣେ ।

‘‘ରାଜ ଶିଶୁ ଭ୍ରମେ କାନନେ ଆଜ ଏ କି ବିଚିତ୍ର

ତପ ସାଧନା ସରଣୀରେ ମନ ଅତି ପବିତ୍ର ।’’

ଶିଶୁ ଜାଣି ଅତି ସୁସ୍ୱରେ ବାଣୀ ତେଜସ୍ୱୀଙ୍କର

ଏକାବେଳକେ କି ଝରିଲା ସପ୍ତ ସୁଧା ସାଗର ।

ଉନ୍ମିଳ ନୟନୁ ବହୁଛି କିବା କରୁଣା ସ୍ରୋତ

ତହିଁ ସନ୍ତରିବା ପରାୟ ମଣେ ରାଜନ ସୁତ ।

ପଡ଼ି ବୁଡ଼ି ସଢ଼ି ଜଡ଼ି କି ଯିବ ମନ ମନ୍ଦିରେ

ହସି ଋଷି ଆସି ଭାଷିଲେ ବସି ମଧୁର ସ୍ୱରେ ।

ମନ୍ଦିରେ ଜନନୀ ଡାକନ୍ତି ଦୂରେ ଶୁଣ ଚତୁର

ଝରାଇ ତାହାଙ୍କ ନୟନୁ ସଦା ଲୋତକ ଧାର ।

କମପାତ୍ରେ ଭରି ଅସୀମ ରସ ପକ୍ୱ ସମ୍ଭାର

କରରେ ଝରୀ ଧରିଛନ୍ତି ଦେଇ ନବାତ କ୍ଷୀର ।

ପାଟତୁଳି ଛିଟ ଶେଯରେ ଖଟ ଝୁଲଇ ରଙ୍ଗେ

କେତେ ଜାତି କଳ ଖେଳଣା ଖେଳାଉଥିବ ସଙ୍ଗେ ।

ଫୁଲଧନୁ ବାଣ ଘେନିଣ ଝୁଲ ହାତୀରେ ଚଢ଼ି

ଅରାତି ସମରେ ଲଢ଼ିବ ହାତେ ଲଗାମ ଭିଡ଼ି ।

ଚାରୁହାସୀ ଖଞ୍ଜନୟନା ଏକ ମଞ୍ଜୁଳା ବାଳୀ

ବରପଣେ ବରି ନେବ ସେ ଗୁନ୍ଥି ଗଜରା ମାଳି ।

ତିଳେ ଚଳୁନାହିଁ ଛଳନା ମଣି ରାଜବାଳକ

ପ୍ରତାରଣା କଣ୍ଠେ ତାଡ଼ନା କଲେ ଋଷି ତିଳକ ।

‘‘ଅଧିରେ ପିଅର ଲୋଡ଼ନ୍ତି ବିଦ୍ୟାଗୁରୁଙ୍କୁ ଘେନି

ତୋତେ ନ ଦେଖି ସେ ଦଣ୍ଡିବେ ଆଜି ରେ ଅଭିମାନୀ ।

‘‘ଶୁଣି ଧ୍ରୁବ ଦିଏ ଉତ୍ତର ମୋତେ ଭଣ୍ଡି ଦିଅନା

ମୁଁ ତ ନୁହେଁ, ଅପରାଧୀକୁ ଦଣ୍ଡ ଦିଅନ୍ତି ସିନା ।

ମୁନିଏ ବୋଲନ୍ତି ବଚନ ଶୁଣ ରାଜକୁମାର

ତବ ବିଚ୍ଛେଦରେ ଝୁରିବେ ପିତା ମନେ ବିଚାର ।

ଧ୍ରୁବ ବୋଲେ ତାଙ୍କ ସନ୍ମୁଖେ ଯେବେ ‘‘ଜାରଜ’’ ମୁହିଁ

କି ହେବ ସଂସାରେ ଏପରି ତାତ କୁମର ଥାଇଁ ।

ଋଷିଏ ବୋଲନ୍ତି କନିଷ୍ଠ ତବ ଉତ୍ତମ ବୀର

ନିବିଡ଼ କାନନେ ଲୋଡ଼ଇ ଜ୍ୟେଷ୍ଠ ସୋଦର ତାର ।

‘‘ଯେ ଅଟେ ପ୍ରଜାମାନଙ୍କର ସ୍ନେହ ଆଦର ଖଣି

ଲୁଚିରହୁ ନିଜ ପ୍ରାସାଦେ ମୋର ଆଶିଷ ଘେନି’’ ।

‘‘ତବ ବିହୁନରେ ଜନନୀ ଶିର କଚାଡ଼ି ମହୀ

ବିକଳେ ଡାକନ୍ତି କୁମାର ଯାଅ କ୍ଷଣେ ନ ରହି’’ ।

‘‘ସେ ମୋର ଜନନୀ ମୁଁ ଯେବେ ତାର ରଙ୍କପ୍ରତିମା

ବିଷାଦେ ତା’ ପାଶୁ ଅନ୍ତର ହୋଇ ଆସିଲି କିଆଁ ।’’

‘‘ଗୁପ୍ତଚରେ ରାଇ ବିମାତା ଦେଇଛନ୍ତି ଆଦେଶ

ସନ୍ଧାନ ପାଇଲେ ତୁମ୍ଭଙ୍କୁ ପ୍ରାଣେ କରିବେ ନାଶ ।’’

‘‘ଅନୁତାପ କରୁଥିବ ସେ ମୋତେ ସୁମରି ମନେ

କୋଳେ ବସି କ୍ଷମା ମାଗନ୍ତି ମୁଁ ତ ରହିଛି ବନେ ।

କେବେ ଯେବେ ଦିନେ ଫେରିବି ମୋର ବିମାତା ପାଶେ

ହସି ଲୋଟିବି ତା’ ଚରଣେ ବିଚାରିଛି ମାନସେ’’ ।

‘‘ସରିଗଲା ସପ୍ତ ଋଷିଙ୍କ ଚାଟୁ କଟୁ ବଚନ

ଲାଞ୍ଛନା ତାଡ଼ନା ବିହୁନେ ହୃଦେ ଭରିଲା ପ୍ରେମ ।

ଏକ ସୁଧାସିନ୍ଧୁ ପାଳଇ ସିନା ସଂସାରଯାକେ

ସପ୍ତସୁଧା ସିନ୍ଧୁ ଉଛୁଳେ ଧ୍ରୁବ କର୍ମ ସୁପାକେ’’ ।

‘‘ବୋଲନ୍ତି ହେ ରାଜନନ୍ଦନ ଶିଶୁ ଶରୀର ବହି

କି ଘେନି କାନନେ ପଶିଛ କିଛି ବାରି ନୁହଇ ।

ଯାହା କି ମନର କାମନା କିମ୍ପା ଖୋଲି ନ କୁହ

ବ୍ୟାଧି କି ବୈରାଗ୍ୟ ଜନ୍ମିଲା ବୃଦ୍ଧ ଯୁବା ବି ନୁହ ।

ତୋର ମନୋରଥ ପ୍ରକାଶ କର ବୋଲନ୍ତେ ମୁନି

ଉତ୍ତରିଲା ନୃପତନୟ ପଦେ କରି ଦୟିନୀ ।

ରାଜଦରବାରେ ଗମିଲି ଦିନେ ଜନକ ପାଶ

ମୋ ଛୋଟ ଭାଇ ଉତ୍ତମକୁ ଦେଖି ହେଲି ହରଷ ।

ପିତା ଅଙ୍କ ଇଚ୍ଛି ଧରନ୍ତେ ତାଙ୍କ ପିନ୍ଧା ବସନ

ରହି, ନ ସହିଲେ ବିମାତା ବିହିଲେ ଅପମାନ ।

ଦୁର୍ଭାଗୀ ସନ୍ତାନ ଅଭାଗା ବୋଲି ବୋଇଲେ ମୋତେ

କାନ୍ଦି ମୁହିଁ ଆସି କହିଲି ଗର୍ଭଧାରୀ ଅଗ୍ରତେ ।

ଜନନୀ ବଚନେ ତପସ୍ୟା ପଥେ ବଳିଲା ମନ

ସ୍ଥିର ନ ହୋଇ ଭ୍ରମୁଅଛି ଏକାକୀ ଏ କାନନ ।

‘‘ଧୀରେ ସପ୍ତଋଷି ବୋଲନ୍ତି ଶୁଣ ରାଜକୁମର

କି କାମନା ମନେ ବହିଛ ବେଗେ ପ୍ରକାଶ କର ।

କାମନା ମାତ୍ରକ ଏତିକି ଶୁଣ ତପୀ ଗୋସାଇଁ

ପିତା, ମାତା, ବନ୍ଧୁ, ସୋଦରେ ମୋର ଅହନ୍ତା ନାହିଁ ।

ଯେବେ ଅଭିମାନେ ଆସିଲି ମୁଁ ଘୋର ଅରଣ୍ୟେ

ଉପଦେଶ ଦିଅ ମୁକତ ହେବି; ନମେ ଚରଣେ ।

ତ୍ରୈଲୋକ୍ୟ ଦୁର୍ଲ୍ଲଭ ଆସନ ଏକ ହେଉ ମୋହର

ନ ପାଇଥିବେ, ନ ପାଇବେ ଯାହା ମୋ ବଂଶଧର ।

‘‘ଆଶ୍ଚର୍ଯ୍ୟ ଲାଗିଲା ଋଷିଙ୍କୁ ରାଜ ଶିଶୁ ବଚନ’’

‘‘ନେବ ନିଶ୍ଚେ ଧ୍ରୁବ ମହୀରୁ ମହା ମହତ ଧନ’’ ।

ଜଣେ ଜଣେ ଆସି ବୋଇଲେ ତାର ନିକଟେ ବସି

ଭିନ୍ନ ନୁହେ ଏକ ବିବୃତ୍ତି ଦେଲେ ସପତ ଋଷି ।

ଦୂରୁ ମଣିଥିଲା କୁମାର ଯାହା ସାତକୁ ଏକ

ସେ ଏକ ପାରାବାର ହଂସ ବ୍ରହ୍ମ ଋଷି ତିଳକ ।

ସରିତେ ଯେସନେ ସନ୍ତରେ ରାଜ ମରାଳ ପନ୍ତି

ବୁଡ଼ି ଲୋଡ଼େ କିବା କରଟ ସରସୀ ମଧ୍ୟେ ମୀନ

ତା’ ତହୁଁ ଅଧିକ ଅଧିରେ ଆବେଗ ଧୃତ ମନ ।

 

(ରାଗ–କଳାମାଣିକ ବୃତ୍ତେ)

 

ଆଗେ ସରାଗ ମନରେ ଆବେଗ ମିଶାଇ

ସୁରୁଚି ଭର୍ତ୍ସନା ପାତ୍ରେ ମରୀଚି ବୋଲଇ, ରାଜନନ୍ଦନ ରେ ।୧।

ନ ହୁଅ ବିମନ ଧନ ସୁମନକୁ ଘେନ

ଦୁଃଖ ତାମସୀ ରଜନୀ ହେବ ଅବସାନ ।୨।

ସରିତ ଯାଏନି ମରୁତର କ୍ଷିତି ଭୋଗ

ଷଡ଼ଋତୁ ସଙ୍ଗେ ମିଶି ବହେ କି ବିରାଗ ।୩।

ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ସାରି

ବସନ୍ତ ଋତୁରେ ଯେବେ ହୁଏ ଅଧିକାରୀ ।୪।

ବିକଶେ ନାନା ସୁମନ ବିତରଇ ବାସ

ମନ୍ଥର ଗତିରେ ଦିଏ ଜୀବନେ ସରସ ।୫।

ପଶୁ, ପକ୍ଷୀ, ତରୁ, ଲତା, ନର, ନାରୀ ପ୍ରାଣେ

ଭରି ରହିଥାଏ ଏ ସଦା ନବ ଜାଗରଣେ ।୬।

ବସନ୍ତ ବିନା ପୃଥିବୀ ବିରଷ ଦିଶଇ

ଅଙ୍ଗ ପ୍ରତ୍ୟଙ୍ଗେ ସେ ତାର ପରଶ ଇଚ୍ଛଇ ।୭।

ସଂସାର ପ୍ରାଣୀଙ୍କ ମଧ୍ୟେ ତୁମ୍ଭେ ପୁଣ୍ୟବନ୍ତ

ସର୍ବ ସାଧକ ଋତୁଙ୍କ ମଧ୍ୟରେ ବସନ୍ତ ।୮।

ତୁମ ବିନା ପରଶରେ ସର୍ବେ ହେବେ ଘାରି

ପଶୁ, ପକ୍ଷୀ, ତରୁ, ଲତା କିବା ନର-ନାରୀ ।୯।

ଲଭିବ ଦୁର୍ଲ୍ଲଭ ବିତ୍ତ ଚିତ୍ତ କର ସ୍ଥିର

ଅନୁଭବ କଲା ମାତ୍ରେ କ୍ଷୟ ନୁହେ ଯାର ।୧୦।

ଅନ୍ୟ ଦେବ ଆରାଧନା ଫଳ କ୍ଷୟ ହୁଏ

ବିଷ୍ଣୁ, ପ୍ରସନ୍ନେ ବାଞ୍ଛିତ ଫଳ ପ୍ରାଣୀ ପାଏ ।୧୧।

ଅଧୀରେ ବୋଲନ୍ତି ଅତ୍ରି ଶୁଣରେ କୁମର

ନାରାୟଣ ସନ୍ତୋଷି କାମନା ପୂର୍ଣ୍ଣ କର ।୧୨।

ହରି ଧ୍ୟାୟି ଦିବ୍ୟସ୍ଥାନ ଲଭି ହୁଅ ବାବୁ

ବିଘ୍ନ କରି ନ ପାରିବେ ଅନ୍ୟ କେହି ସବୁ ।୧୩।

ଆଶିଷ ଦେଇ ଅଙ୍ଗିରା ବୋଲନ୍ତି ସଧୀରେ

ଗୋବିନ୍ଦ ଆରାଧି ବସ ଶ୍ରେଷ୍ଠ ଆସନରେ ।୧୪।

ପୁଲହ ପୁଲକ ପ୍ରାଣେ ବୋଲନ୍ତି ବଚନ

ପରଂବ୍ରହ୍ମ ସେବି ଲଭ ଦୁର୍ଲ୍ଲଭ ଆସନ ।୧୫।

କ୍ରତୁ ବୋଲେ ବୀର ସେବ ଯଜ୍ଞପୁରୁଷଙ୍କୁ

ପ୍ରସନ୍ନେ ଶ୍ରେଷ୍ଠ ଆସନ ଦେବେ ସେ ତୁମ୍ଭଙ୍କୁ ।୧୬।

ଇନ୍ଦ୍ର ଆଦି ଦେବତାଙ୍କ ମୋକ୍ଷ ପଦପାଇଁ

ଘୋର ତପେ ବିଷ୍ଣୁ, ତୋଷ ପୌଲସ୍ତି ବୋଲଇ ।୧୭।

ଶେଷେ ବଶିଷ୍ଠ ବୋଲନ୍ତି ଶୁଣରେ ନନ୍ଦନ

ତପୋବଳେ ବାସୁଦେବେ କର ଦୃଢ଼ ଧ୍ୟାନ ।୧୮।

କଇବଲ୍ୟ ସୁଖଦାତା ଦେବ ଚକ୍ରଧର

ତାହାଙ୍କ ଆଶିଷ ଥିଲେ ଦୁର୍ଲ୍ଲଭ କି ଛାର ।୧୯।

ସର୍ବ କାମନାର ଫଳ ଯହିଁ ଅଛି ଠୁଳ

ଧ୍ୟାୟି ପାଇ ନ ପାରିଲେ ବିରଞ୍ଚି ଶଙ୍କର ।୨୦।

ଶଙ୍କିତ ଚିତ୍ତେ କୈବର୍ତ୍ତ ଧୋଇଥିଲା ଥରେ

ପତିତ ତାରଣ ନେତ ଉଡ଼େ ଫରହରେ ।୨୧।

ସେ ସାମନ୍ତ ପାଦପଦ୍ମେ ବାନ୍ଧି ମନପ୍ରାଣ

ନୈରାଶ୍ୟ-ରାକ୍ଷସ ତ୍ରାସ ହେବ ଅବସାନ ।୨୨।

 

(ରାଗ–ଚୋଖି)

 

ଶୁଣି ସପ୍ତଋଷି ଗୀର ଶିରେ ଦେଇ ବେନି କର

ବୋଲଇ କରୁଣ ସ୍ୱରେ ରାଜକୁମାର,

ଅନ୍ତର ଭକତି-ବାରି ନୟନରୁ ପଡ଼େ ଝରି

ଶ୍ରାବଣ ମାସ ଲଗାଣ ବର୍ଷ ପ୍ରକାର,

ବିନୟେ ବୋଲଇ ବଚନ,

କପଟ ନ ରଖି କୁହ ହେ ତପୋଧନ ।୧।

 

ଘେନି ତବ ଉପଦେଶ ସେବିବି ସାର ପୁରୁଷ

ବଳିଛି ମାନସ ବିଘ୍ନ ମାନଇଁ ନାହିଁ,

ସେ ଯେବେ ସଂସାର ସାର ମୋ କାମନା କିବା ଛାର

ଆରାଧିବା ମାର୍ଗ ମୋତେ ଦିଅ ବତାଇ,

ଜାଣେନା ମୁଁ ଅବୋଧ ଶିଶୁ,

ସତେ କି ଦେଖିବି ତାଙ୍କ ମୁଖ ସୁଧାଂଶୁ ।୨।

 

ସାଂଖେ କିବା ତପବଳେ ପ୍ରାଣାୟାମେ କି ନିଶ୍ଚଳେ

ଭାବ ବିହ୍ୱଳେ କି ଅବା ଶରୀର ଜାଳେ,

ଅନଳ ଅନିଳ ଜଳେ- ସ୍ଥଳେ କି ନଭୋ ମଣ୍ଡଳେ

ପଶୁ, ପକ୍ଷୀ, ମେଳେ କିବା ତୃଣ ଗହଳେ,

କାନନେ କି ରାଜ ଭବନେ,

କୁସୁମ ବନେ କି କାୟ ମନ ବଚନେ ।୩।

 

ଦୟାବହି ଦିଅ କହି ଦୀନ ଅକିଞ୍ଚନ ମୁହିଁ

ବଶୀଭୂତ କରାଇବି କେବଣ ତପେ,

କେଉଁମତେ ଆରାଧନା ସାଧନା ମାର୍ଗ ଜାଣେନା

ସତେ କି ସେ ହୋଇବେ ପ୍ରସନ୍ନ ଅଳପେ,

ଜାଣି ମୋର ଆତ୍ମ କାହାଣୀ,

କରୁଣା ପରଶିବେ କି କମଳପାଣି ।୪।

 

ମୁଁ ତାଙ୍କୁ ଅନାଇଁ ଡୋଳେ ତଳେ ଲୋଟିବି ବିହ୍ୱଳେ

ହସି ଆଶ୍ୱାସି ସେ ବଳେ ଧରିବେ କୋଳେ,

ଶିର ସାଉଁଳିବେ ମୋର ପୁଲକ ହେବ ଶରୀର

ଧୋଇବି ପୟର ବେନି ନୟନ ଜଳେ,

ସବିନୟ ସୁମନ ହାରେ,

ମଜ୍ଜାଇ ସାଜି ଅନାଇଁ ରହିବି ଦୂରେ ।୫।

 

ଅଳପ ଅଳପ ହସି ସେ ମୋତେ ଦେବେ ଆଶ୍ୱାସି

ଭାସି ମୁଁ ଯିବି ଆନନ୍ଦ-ସାଗର ନୀରେ,

ଏ ଦୁଃଖ ଯାତନା ମୋର ଦହି ଦେଉଛି ଶରୀର

ଭୟ ପାଇ ପଳାଇ ସେ ଲୁଚିବ ଦୂରେ,

ଦିଅ ହେ କାନନ ଗୋସାଇଁ,

ମନ ଦେବତା ଲଭିବା ମାର୍ଗ ବତାଇ ।୭।

 

ବୋଲନ୍ତି ସପତ ମୁନି ଶୁଣ ଆରେ ଅଭିମାନୀ

ଅନ୍ୟ ମତେ ନ ପାଇବୁ ନିରଞ୍ଜନଙ୍କୁ,

ସଂସାରର ସାରତତ୍ତ୍ୱ ସକଳ ଘଟେ ବିଦିତ

ସୂକ୍ଷ୍ମମତେ ବଶୀଭୂତ କରାଅ ତାଙ୍କୁ,

କାୟ, ମନ, ବାକ୍ୟ, ବଚନ,

ଅର୍ଦ୍ଧ, ଊର୍ଦ୍ଧ୍ୱ, ବାହ୍ୟାନ୍ତର ଏକତ୍ରେ ଘେନ ।୭।

 

ଚିନ୍ମୟ ଚିର ସୁନ୍ଦର ଚିଦାନନ୍ଦ ଚିତ୍ତଚୋର

ସୁଧାଂଶୁ ଶେଖର ଶତ ଶଶୀ ଆକର,

ଦରଦହାରୀ ଦର୍ଶନ ଦେବେ ହୋଇ ସୁପ୍ରସନ୍ନ

ପୁତ ପରିମଳ ଠୁଳ ଜ୍ୟୋତି ପ୍ରକାର,

ନାଭିଚକ୍ର ଶରୀରେ ତୋର,

ଆସନ ପାତି ନୟନେ ଚାହାଁ ଚତୁର ।୮।

 

(ରାଗ–କୃଷ୍ଣର ଗମନ ବୃତ୍ତେ)

 

ଦିବା ଅବସାନେ ବାରୁଣୀ ଗଗନେ

ଲୋହିତ ବରଣ କାନ୍ତିରେ,

ରବି ଡୁବିଯାଏ ଧରଣୀ ବକ୍ଷରୁ

ମେଲାଣି ନେଇ ଝଟତି ରେ,

ଭୀତିରେ, ଦ୍ୱନ୍ଦ୍ୱ ରଚେ ଯତି ମତିରେ,

ଅନ୍ତର୍ଦ୍ଧାନ ହେଲେ ସୁନୀତି ସନ୍ତାନ ପ୍ରଣତି ରଚୁଁ ବିନତି ରେ ।।

 

ଏ ଶୁଭ ଲଗନେ ଦେବାଶ୍ରିତ ଜନେ

ଧ୍ୟାନରେ ରହିଲେ ନିମଜ୍ଜି,

ଦେବାଳୟେ ସନ୍ଧ୍ୟା- ପ୍ରଦୀପ ଗହଣେ

ଶୁଭେ ଯନ୍ତ୍ର ବାଦ୍ୟ ଗରଜି,

ବରଜି, କୃଷକ ତା କୃଷି କର୍ଷଣ,

ଆସନ୍ତା କାଲିକୁ ମାନସରେ କରେ ନୂତନ କାମନା ଷୋଷଣ ।।

 

ତୁଳସୀ ଚଉରା ତଳେ କୁଳ ଆଳି

ସଲିତା ଜାଳି ଓଳଗିଲା,

କାନ୍ତ ପରବାସୀ ପ୍ରିୟାର ପରାଣେ

ବିରହ ବେଦନା ଜାଗିଲା,

ମାଗିଲା, ଚକୋରୀ ଚାନ୍ଦକୁ ସେନେହ,

ଛଳାଇ କୁମୁଦ ବନଜକୁ କହେ ବାଧୁଛି କି ପ୍ରିୟ ବିରହ ।।

 

ବିହଙ୍ଗମ କୁଳ ଦଳକୁ ସଜାଇ

ଆଳାପ ରଚିଲେ ପାଦପେ,

କାନନର ପଶୁ ସାନନ୍ଦ ଆନନେ

ଗାନ ଆରମ୍ଭିଲେ ଅଳପେ,

କଳପ, କ୍ରୋଟରେ ପେଚକ ରାବିଲା,

ଚପଳମତି ସୁକୁମାର ଶିଶୁର କୋମଳ ପରାଣ ଦ୍ରବିଲା ।।

 

ଧୀରେ ଟେକି ମୁଖ ଚାହିଁଲା ବାଳକ

ଶିରେ ପଥର ପଡ଼ିଲା କି,

ସାଧୁଙ୍କୁ ନିକଟ ନ ଦେଖି ଶଙ୍କଟ

ମଣି ଉଭାହେଲା ଚମକି,

ଡାକିଲା, କିଞ୍ଚିତେ ସତ୍ତା ନ ପାଇଲା,

ପାଗଳ ସାଜି ସେ ପବନ ପରାଏ କନ୍ଦି କନ୍ଦି ଧାଇଁ ଥକିଲା ।।

 

ପାଦେ କଣ୍ଟା ବହି ରୁଧିର ଝରଇ

ଝୁଣ୍ଟି କଟେ ନଖ ଅଙ୍ଗୁଳି,

କାହିଁ ଲଟା କାହିଁ ଖୁଣ୍ଟା ଆଘାତରେ

ଶରୀରୁ ଶୋଣିତ ନିକିଳି,

ଶୋଚନା, ତିଳେହେଁ ନ ଥାଏ ମନରେ,

ପାଇବା ଲାଳସା ପ୍ରେରଣା ଦେଉଛି ଅଛନ୍ତି ଏ ଘୋର ବନରେ ।।

 

ଖୋଜଇ ଆକୁଳେ ଘନଲାତ ତଳେ

ନ ପାଇ ଦୂରକୁ ଅନାଏଁ,

ଫେରିଆସି ପଶୁ- ପକ୍ଷୀଙ୍କୁ ପୁଚ୍ଛଇ

କେଉଁପଥେ ଗଲେ ମୁନିଏ ?

କହ ହେ, ଅକିଞ୍ଚନେ ଦୟା ବହ ହେ,

ଦହି ହୁଏ ତନୁ ତାହାଙ୍କ ବିହୁନେ କିପରି ଧରିବି ଦେହ ହେ ।।

 

ଉତ୍ତର ନ ପାଇ ଉଚ୍ଚରେ ଡାକଇ

ଆସ ପ୍ରଭୁ ଦେଖା ଦିଅ ହେ,

ନିବିଡ଼ ଅରଣ୍ୟେ ଭୟଙ୍କର ସ୍ଥାନେ

ଭୀତି ଲାଗେ ସଙ୍ଗେ ନିଅ ହେ,

ମୁଁ ତୁମ, ଦାସର ଦାସ ବୋଲାଇବି,

ଚରଣ ସେବାରେ ରହି ନିରନ୍ତରେ ଦିବା ରଜନୀ ବିତାଇବି ।।

 

କି ବିଚାରି ମନେ ଚାହିଁଲା ସଘନେ

ବୃକ୍ଷପରେ ବସିଛନ୍ତି କି ?

କିବା ସେ ବିଶାଳ ଶାଳ ଡାଳ ତଳ

ଲୁଚି ରହିଛନ୍ତି କାହିଁକି ?

ନାହିଁ କି ? ତାହାଙ୍କ ହୃଦୟେ ସେନେହ,

ଦୟାର ସାଗର ଶୁଖିଗଲା କି ମୁଁ ଯାତନା ସହେ ଅହରହ ।।

 

ବୃହତ ପାଦପ ଅଦୂରରୁ ଦେଖି

ଧାମଇଁ ହୋଇ ଉନୁମାଦ,

ବୁଲି ଚଉକତି ନ ପାଇ ନିରାଶେ

ଫେରଇ ମଣି ସେ ପ୍ରମାଦ,

ଆତଙ୍କେ, ଅଧିର ହୁଅଇ ପରାଣ,

ଆଶା ପ୍ରଦୀପଟି ଦୁର୍ଭାବନା-ବାତ-ଘାତେ ହୋଇ ଯାଇଛି କ୍ଷୀଣ ।।

 

ଥର ଥର ଗାତ୍ର ବାତେ ଶୁଷ୍କ ପତ୍ର-

ପରାଏ ମହୀରେ ଲୋଟଇ,

କିଞ୍ଚିତ କାମନା ଚିତ୍ତ ଉଦ୍ଦୀପନା

ପାଇ ପାଦ ଚିପି ଉଠଇ,

ଯେଣିକି, ଚାହଇ ଆଶାୟୀ ନୟନେ,

ପଶୁ, ପକ୍ଷୀ, ତରୁ, ଲତା, ଗୁଳ୍ମ, ତୃଣ

ବିନା କେ ନ ଦିଶେ କାନନେ ।।

 

ଶୂନ୍ୟରୁ ବଚନ ଶୁଭେ ଘନ ଘନ

ବିମନ ନ ହୁଅ ନନ୍ଦନ,

ସର୍ବ ତପୋଧନ ହେଲୁ ଅନ୍ତର୍ଦ୍ଧାନ

ଆଉ ନ ପାଇବ ଦର୍ଶନ,

ବହନ, ଗମନ କର ମଧୁବନ,

କାଳିନ୍ଦୀ ଦକ୍ଷିଣ ତଟରେ ଆସନ ପାତି ଧ୍ୟାନେ ହୁଅ ମଗନ ।।

 

(ରାଗ–ରାମକେରୀ ବୁତ୍ତେ)

 

ଶୁଣି ଦହି ହେଲା ପରାଣ ମନା ମାନଇ ନାହିଁ

ଆକୁଳେ ମୁନିଙ୍କୁ ଖୋଜିଲା ବାଇ ପରାଏ ହୋଇ ।୧।

କାହିଁ ଛାଡ଼ିଗଲ ଦେବତା ମୁଁ ବା କଲି କି ଦୋଷ

ବିନା ଅପରାଧେ ବହିଲ ତୁମେ ମୋଠାରେ ରୋଷ ।୨।

ଅନ୍ୟ ଲୋଡ଼େନା ମୁଁ ତୁମ୍ଭର ତୁମେ ଦେବତା ମୋର

ମୁହିଁ ତୁମ୍ଭ ପୂଜା ଆସନ ତୁମେ ପୂଜ୍ୟ ଠାକୁର ।୩।

ଆସନରେ ଦେବ ଦର୍ଶନ ମନେ ପ୍ରେରଣା ଦିଏ

ଜାଣି ତୁମ୍ଭେ ହେଲେ ନିର୍ଦ୍ଦୟ ଆଉ କହିବ କିଏ ? ।୪।

କହି ଧାଇଁଯାଏ ବାଳକ ରାତି ଘୋର ଅନ୍ଧାରେ

ଋଷିଙ୍କୁ ପାଇବା ଲାଳସା ଜାଗିଛି ମାନସରେ ।୫।

ଆଗ୍ରହେ କଅଁଳା ବାଛୁରୀ ସମ ଉନ୍ମାଦେ ନାଚେ

ବାନର ସାବକ ଲୋଡ଼େ କି ଖାଦ୍ୟ ତେନ୍ତୁଳି ଗଛେ ।୬।

ପାଷାଣେ ନିହାଣ ହାଣିଲେ ହୁଏ କଷଣ ସାର

ପରାଣ ଆକୁଳ ହୁଅଇ ବନେ ରାଜ ଶିଶୁର ।୭।

ପାଇବାକୁ ଧାଇଁ ପାଏନା ଯାଇ କଚଡ଼ା ଖାଏ

କାହିଁ ତା ଚରଣ ଆଘାତେ ସାପ କାମୁଡ଼ି ଦିଏ ।୮।

କେତେକ ଆଘାତ ପାଉଛି କିଛି ବାଧଇ ନାହିଁ

ପୀରତି ପିପାସା ଜାଗିଛି ମନେ ପ୍ରବଳ ହୋଇ ।୯।

ସହୁଛି ରାମ୍ପୁଡ଼ା କାମୁଡ଼ା ତଳ ଗଡ଼ା କଚଡ଼ା

କେତେ କଣ୍ଟା ଖୁଣ୍ଟା ନେଇଛି ଦେହ ମାଂସ ଅତଡ଼ା ।୧୦।

ଶୋଚନ ନ କରି ମନରେ ବନେ ଯାଉଛି ଧାଇଁ

ଅଧିରରେ ହିଂସ୍ର ଜୀବଙ୍କୁ ଧରେ ହାତ ମେଲାଇ ।୧୧।

ପର୍ବତ କନ୍ଦରୁ ଝରିବା ପରି ଝରଣା ଜଳ

ଆଘାତ ସ୍ଥାନରୁ ଆସଇ ବହି ରୁଧିର ଧାର ।୧୨।

ଚାହିଁ ପଶୁ, ପକ୍ଷୀ, କାନ୍ଦିଲେ ତରୁ ଲତା ସହିତେ

କେଡ଼େ ଦାରୁଣ ସେ ଦଇବ ଦଣ୍ଡ ଦେଇଛି ଏତେ ।୧୩।

କାନ୍ଦୁନାହିଁ କି ତା ପରାଣ ଏତେ ଅହନ୍ତା ସାଧେ

ବିଶେଷରେ ଶିଶୁ ପରାଣେ ଋଷି ବିରହ ବାଧେ ।୧୪।

ନୟନ ଲୋତକେ ଭକତି ଫୁଲ ଘେନି ଯତନେ

ପାଇଲେ ବନ୍ଦନା କରନ୍ତା ପାଦ ରଖି ଆସନେ ।୧୫।

ଢାଳି ଦିଅନ୍ତା ତା ପରାଣ ମନ ମଣୋହିଁ ପାଇଁ

ମନ କଥା ମନେ ରହିଲା ମୁନି ଫେରିଲେ ନାହିଁ ।୧୬।

ନିରାଶ ମନରେ ଧାମଇ ବନରେ କାଳିନ୍ଦୀ ତଟକୁ

ସତେ କି ଲଭିବ ଅଛି ଯା ଅଭାବ ଶ୍ରୀହରି ଭେଟକୁ ।୧୭।

ବହୁଦୂରେ ଯାଇ ଆଶ୍ଚର୍ଯ୍ୟ ମଣଇ ଏକି ଅଦଭୁତ

ବିଭବା ଅବନୀ ବକ୍ଷେ ଉଭା ଘେନି ଅଦିନେ ବସନ୍ତ ।୧୮।

କାନନ ଶୋଭିତ ସଦ୍ୟ ପ୍ରସ୍ଫୁଟିତ କୁସୁମ ପଲବେ

ମଧୁପ କୂଜନ ଗୁଣୁଗୁଣୁ ସ୍ୱନ କୀଟ ଚିତ୍ତ ଦ୍ରବେ ।୧୯।

ବିହଙ୍ଗ ନିସ୍ୱନ ମୟୂରୀ ନର୍ତ୍ତନ କୁକ୍‍କୁଟ କାକଳୀ

ମନର ଆବେଗ ପ୍ରକାଶନ୍ତି ମୃଗ ସାବକ ମଣ୍ଡଳୀ ।୨୦।

ସବିତା କିରଣ ପଶେନା କାନନ ଲତାଦି ଗହଳେ

ପଶୁ କେତେ ଜାତି କ୍ରୀଡ଼ା ବିରଚନ୍ତି ମାନସ ବିହ୍ୱଳେ ।୨୧।

ନିଶଙ୍କ ଚିତ୍ତରେ ଶୁଷ୍କ ପତ୍ରପରେ ଯାନ୍ତେ ରାଜବଳା

ବିନୋଦନ ରତ ପଶୁପକ୍ଷୀ ଚିତ୍ତ ଆତଙ୍କେ ଭରିଲା ।୨୨।

ଚାହିଁଲେ ଚମକି ବଇରି ଆସେ କି କୃତ୍ରିମ ବେଶରେ

ପଛକୁ ଲେଉଟି ନ ଚାହିଁ ଝଟତି ଲୁଚିଲେ ଗହ୍ୱରେ ।୨୩।

ମନରେ ଆହବ ବହି ଚାଲେ ଧ୍ରୁବ ସଂକେତ ପୀଠକୁ

ଯାଉଛି ଅଜସ୍ର ପକ୍ଷୀ, ପଶୁ, ହିଂସ୍ର ପ୍ରାଣୀଙ୍କ ଭେଟକୁ ।୨୪।

ଗଣବଣା ଏଣୀ ଚକିତ ଚାହାଣି ଦେଇ ଯାଏ ଧାଇଁ

ଭଲ୍ଲୁକ ବାନର ଶୃଗାଳ ଶୂକର ସଂଖ୍ୟା କରି ନୋହି ।୨୫।

ଗୁଣ୍ଠୁଚି ମୂଷାଟି ତରୁଶାଖେ ଉଠି ଛିଟିକି ରଟିଲା

ଶିଶୁ ପରଶେ କି ମଧୁବନ ଭୂମ ଚହଟି ଉଠିଲା ।୨୬।

କାଳିନ୍ଦୀ ସୁଷମା ଅତି ମନୋରମା ବର୍ଣ୍ଣିବା କ୍ଷମ କେ

ଧୀର ସମୀରଣେ ନୀଳବୀଚିଗଣେ ଚଳନ୍ତି ଅଧିକେ ।୨୭।

କୁମୁଦ କହ୍ଲାର ମରାଳ ପନ୍ତିର ଲୋଭନୀୟ କାନ୍ତି

ଜଳଚର ପ୍ରାଣୀ କେତେ ନୁହେ ଗଣି ଲୀଳା ବିରଚନ୍ତି ।୨୮।

ବୁଦ୍‍ବୁଦ୍ ଉଦ୍ଭିତ କାନନ ସମ୍ପଦ ବିମ୍ୱିତ ସରିତେ

ରସି ଗୀତ ଗାଇ ହସି ନାବ ବାହି ନିଅନ୍ତି କୈବର୍ତ୍ତେ ।୨୯।

ନଦୀ ନିକଟରେ ଦକ୍ଷିଣ ତଟରେ ପ୍ରବେଶି କୁମାର

ଋଷିଙ୍କ ଆଦେଶ ଭାବି ମନେ ତୋଷ ହେଉଛି ଅପାର ।୩୦।

ବସିଲା ନିରୋଳେ ତରୁଛାୟା ତଳେ ପାଡ଼ି ଚକାସନ

ଭୁଲି ନିଜ ଦେହ ଧ୍ୟାୟେ ଅହରହ ବ୍ରହ୍ମ ନିରଞ୍ଜନ ।୩୧।

ବଚନେ ମୋହନ କୀରତି ବର୍ଣ୍ଣନ ନୟନେ ମୂରତି

ଆଘ୍ରାଣ ଆମୋଦ ଆଶେ ବହେ ମୋଦ ଶବଦକୁ ଶ୍ରୁତି ।୩୨।

ହୃଦୟରୁ ଉଠି କଣ୍ଠରେ ପ୍ରକଟି ଅବନା ଓଁକାର

ବୈକୁଣ୍ଠେ ଚରଣ କରେ ବିଚରଣ କରେ ନମସ୍କାର ।୩୩।

ତା ଦେହ ସୁମନ ହାର ସମ ବିନା ଆପତ୍ତିରେ ହରି

ହୃଦେ ଚାପିରଖି ସୁଖ ଲଭନ୍ତି କି ଦୀନ ଦୁଃଖହାରୀ ।୩୪।

କାୟ ପ୍ରାଣ, ମନ, ଶରୀର, ବଚନ ଧ୍ୟାନେ ଭରି ଜ୍ଞାନ

ଶୟନ, ଭୋଜନ, ବିହାର, ଆସନ; ରୋଧିଲା ନନ୍ଦନ ।୩୫।

ଗଗନେ ଗମନ ପବନରେ ମନ ସଲିଳେ ନୟନ

ଧରାମଧ୍ୟେ ଧୀର ମିଶିଲା ଆବର ଅନଳେ ମଗନ ।୩୬।

ଚର ଅଚରରେ ବାହାର ଭିତରେ ସମକାନ୍ତି ଦିଶେ

ନୀଳମଣି ଆଭା ଜିମୂତ ପ୍ରତିଭା ଏକତ୍ର ବିକଶେ ।୩୭।

 

(ରାଗ–କାମୋଦୀ)

 

ଅଭିମାନ ମନରେ ଅଭିମାନୀ ବନରେ

ଅ-ସାଧନାରେ ଧ୍ୟାନ ଦେଇ

ଅରୂପେ ନିମଜିଲା ଅରିଭାବ ତେଜିଲା

ଅଜପା ମନ୍ତ୍ର ହୃଦେ ବହି ସେ

ଅସହାୟ, ଅଙ୍ଗେ ତା ପୁଲକ ନିଳୟ

ଅବୟବ ସୁଦୀପ୍ତମୟ

ଅନବଦ୍ୟ ସୁଷମା ଜାତକାରୀ ଗରିମା

ବିସ୍ତାରିବାରେ ଅଛି ଲୟ ।୧।

ଅମରାବତୀ ପୁର ସୁରବର ସୁନ୍ଦର

ଆସନ ଅମର ଗହଣେ

ଅକସ୍ମାତରେ ବାତ       ଚାଳିତ ରମ୍ଭା ବତ

କମ୍ପିତ ହେଲା ଘନଘନେ ସେ

ପୁଚ୍ଛେ ଧୀର, ବାର୍ତ୍ତା- ବହ ଦିଏ ଉତ୍ତର,

‘‘ବେଳହୁ ପ୍ରତିକାର କର

ଉତ୍ତାନପାଦ ସୁତ ଧ୍ରୁବ ତପରେ ରତ

ହୋଇଛି ନେବ ପଦ କା’ର ।୨।

ସମୀର ହୁତାଶନ ଶମନ ଗ୍ରହଗଣ

ବରୁଣପକ୍ଷ ପ୍ରେତଗଣେ

ମସ୍ତକେ ଦେଇ ଶିର ସର୍ବେ ବୋଲନ୍ତି ଗିର

ଆତଙ୍କ ଜାଗେ ଆମ୍ଭ ମନେ ସେ,

କି କାରଣେ, ବ୍ରତୀ       ଘୋର ତପ ସାଧନେ

ପ୍ରକାଶି ହୁଏନା ବଚନେ

ବହୁ ଉପାୟ ରଚି ତ୍ରାସେ ଅଇଲୁ ଘୁଞ୍ଚି

ସକ୍ଷମ ନୋହିଲୁ କେ ଜଣେ ।୩।

ଅମରେଶ ଉତ୍ତର ବିହିଲେ ଶୁଣ ଧୀର

ଆରତେ ହୁଏନା ଅଧିର

ଅନ୍ୟ କାମନା ମୁଞ୍ଚି ଆସୁରୀ ମାୟା ରଚି

ସାଧନା ବିନାଶ ଶିଶୁର

ତା, ଶୁଣି ଧୀରେ ଧାମନ୍ତି ପ୍ରଖର ଗତିରେ

ମିଳି କାଳିନ୍ଦୀ ନଦୀତୀରେ

ରାକ୍ଷସୀ ମାୟା ବିହି ନାନା ଶରୀର ବହି

ଘେରି ବନ ଚଉକତିରେ ।୪।

ବ୍ୟାଘ୍ର ସିଂହ ଶୃଗାଳ ଶ୍ୱାନ ବନ ଶୂକର

ମାର୍ଜାର ମହିଷ ବାନର

ଝିଙ୍କି, ହେଟା, ଭଲ୍ଲୁକ ଗୃଧ୍ରପକ୍ଷୀ, ଭଲ୍ଲୁକ

ପେଚକ, କାକ, ଅଜଗର

କି, ଭୟଙ୍କର, ବିକଟ ଉତ୍କଟ ଫୁତ୍କାର

ଫଣା ବିସ୍ତାରି ବିଷଧର

ମୁଖୁ ଗରଳ ଥୁକି ଖେଦିଆଇ ମହୀକି

ପ୍ରବେଶ କୁମାର ପାଶର ।୫।

ଏକ ପରେ ଆରେକ ପ୍ରବେଶିଲେ କୌଣପ

ଶିଳା ପାଦପ ଘେନି କରେ

ବିକୃତ ମୁଖେ ହସି       ମାଂସ ଲୋଭୀ ରାକ୍ଷସୀ

ବାଳକ କାମୋଡ଼ି ଅଧରେ

ସେ, କିଛି ଦୂରେ, ରହି ଲୁଚିଲା ଅନ୍ଧକାରେ

ଏମନ୍ତ ଭୀଷଣ ଆକାରେ

ଶୁଭଇ କଡ଼ମଡ଼ ଚୋବାଏ ହାଡ଼ଗୋଡ଼

କଅଁଳ କାକୁଡ଼ି ପ୍ରକାରେ ।୬।

କାନ୍ଦଇ ଶିରେ କର ମାରି ରେ ଧନ ମୋର

ତୋ ବିନା ହେଲି ମୁଁ ଅନ୍ଧୁଣୀ,

ବନେ ଆସିଲୁ ତୁହି ଯେବେ ମୋତେ ନ କହି

ଆ’ ମୋ କୋଳକୁ ଗୁଣମଣି,

ରେ, ସଜଫୁଲ, ଦୁଃଖ ମୋ ବୁକେ ଭୂଷେ ଶେଲ

ଅନା ମୁଁ ହୁଏ କଲବଲ ।

ମୋତେ କନ୍ଦାଇ ତପ ସାଧିବୁ ଯେବେ ବାପ

ବିଚାର ମନ୍ଦ କିଏ ଭଲ ।୭।

ଶୁଣଇ ନାହିଁ ଧ୍ରୁବ ଜାଣେ ତା’ର ଅଭାବ

ଅଛି ଯା ପୂରଣ ନୋହିଛି,

ଚିନ୍ତଇ ଚକ୍ରପାଣି ଦୀନ ପରଶ ମଣି

ମନ ମୋ ଆୟତ୍ତ ନୋହୁଛି

ସେ, ପ୍ରଣମିଲା, ପ୍ରାଣେ ତା ପୁଲକ ପୂରିଲା

ପର ଅପର ନ ବାରିଲା ।

ପରମାନନ୍ଦ ଭେଟ ପାଇବା ବହୁକଷ୍ଟ

ସହିବ ବିଚାରି ଉଠିଲା ।୮।

ଶିଶୁ କୁମାର ଧ୍ୟାନ ହେଲା ନାହିଁ ଖଣ୍ଡନ

ବିଚାରି ସର୍ବଦେବ ବୃନ୍ଦ,

ଇନ୍ଦ୍ର, ଚନ୍ଦ୍ର, ବରୁଣ, ଶଙ୍କର, ଜନ୍ତୁରାଣ;

ଧାତା ବନ୍ଦିଲେ ବହି ଖେଦ

ସେ, କମ୍ୱୁପାଣି, ଅଷ୍ଟ ନୟନୁ ଝାରି ପାଣି

ରସି ହସି ଭାଷିଲେ ବାଣୀ ।

ଧ୍ରୁବକୁ ସୁଦର୍ଶନ ରଖିଛି ନିଶିଦିନ

ଏହା ମୁଁ ପୂର୍ବୁ ଅଛି ଜାଣି ।୯।

ଯାଅ ସର୍ବ ଅମର ଶୋଚନା ପରିହର

ପର ନ କର କୁମାର ରେ,

ପାର ଯେତେ ପ୍ରକାର ପ୍ରାଣେ ତା’ ଶକ୍ତି ଭର

ପୀତାମ୍ୱରକୁ ତୋଷିବାରେ,

ସେ, ପାଇ ଶାନ୍ତି, ବଶ କରାଇବ ଶ୍ରୀପତି

ଊର୍ଦ୍ଧ୍ୱରେ ହେବ ତା ବସତି ।

ଅମର ପଦ ପାଇଁ ସେ ପ୍ରୟାସୀ ନୁହଇ

ବିସ୍ତାରିବ ସେ ତୁମ୍ଭ ଦୀପ୍ତି ।୧୦।

ଶୁଣି ଲୋକେଶ ଗିର ନବି ସର୍ବ ଅମର

ମେଲାଣି ହୋଇ ଯେ ଯାହାରେ,

ଅମ୍ୱରେ ଅନ୍ତରାଳେ ରହି ଭାବ ବିହ୍ୱଳେ

ଆଶିଷ ବିହିଲେ ଶିଶୁରେ,

ସେ, ନୃପସୁତ, ପୁଣି କି ବିଚାରିଲା ଚିତ୍ତ

ପ୍ରତ୍ୟକ୍ଷେ ରଚି ପ୍ରଣିପାତ ।

ବାମ ଚରଣାଙ୍ଗୁଳି ନିର୍ଭରେ ବାହୁ ତୋଳି

ଧ୍ୟାନରେ ହେଲା ନିମଜ୍ଜିତ ।୧୧।

କାମନା କଳ୍ପତରୁ କାଳିନ୍ଦୀ କାନନରୁ

ପ୍ରତ୍ୟକ୍ଷେ ହୋଇଲେ ବାହାର,

ଧୀର, ସ୍ଥିର, ଗଭୀର, ସଂଯମ, କାମାତୁର

କର୍କଶ, ମହତ, ଉଦାର

ସେ, ନିର୍ବିକାର, ବିକାର ଭରା ତେଜସ୍କର

ପ୍ରାୟଶ୍ଚିତ ପାପ ଭଣ୍ଡାର ।

ଯୋଦ୍ଧି, କ୍ରୋଦ୍ଧି, ସମୃଦ୍ଧି-ଶାଳୀ କ୍ଷମାବାରିଧି

ଧିମନ୍ତ ଶ୍ରୀବନ୍ତ ଶେଖର ।୧୨।

ବିଶ୍ୱେ ଶରୀର ବ୍ୟାପି ସ୍ଥଳ ସଲୀଳ ରୂପି

ମେଘ ସ୍ୱରୂପ ଦୟାବଳ,

ଶାନ୍ତ ହୃଦ ସାଗରୁ ବିମ୍ୱୋଷ୍ଠ ବାଦଲରୁ

ଝରିପଡ଼ଇ ସ୍ନେହ ଜଳ,

ତା, ମୁଖ ଶଶି, ରବି କିରଣ ପ୍ରଭା ଗ୍ରାସି

କର ସମୀରଣ ପରଶି ।

ପ୍ରୀତି ବର୍ଷା କରାଇ ସୁଧା ବଚନେ ମୋହି

ଲୋମ ତରୁଲତା ଉଲ୍ଲସି ।୧୩।

ସମୟ ପଦ ଚାଳି କ୍ରୋଦ୍ଧ ଆଗ୍ନେୟଗିରି

ହାସ ପାରିଜାତେ ନିବାରି,

ନାଶା ହିମାଳୟର ନେତ୍ର ତାରା ଦ୍ୱୟର

ଭୂରୁ ବଲ୍ଲରୀ ଚାପସରି,

ସେ, ଚାହାଣିର, ଲଗାମ ଲଗାଇ ଶ୍ରୀଧର

ବସାଇ ଜାନୁ ପୀଠ ପର,

ପ୍ରାକୃତିକ ରଞ୍ଜନ ଦେଇ ପୂଜ୍ୟ ଚୁମ୍ୱନ

ଅର୍ପିଲେ ସର୍ବାଦୃତ କୋଳ ।୧୪।

ପୌରୁଷ ଗୋଲକରେ ବିହରି ଶିଶୁ ଧୀରେ

ଚାହିଁଲା ଆଗେ ଚିନ୍ତାମଣି,

ନୀଳ ଜଳଧି ବାରି ନବ ନିରଦ ସରି

ତନୁ ନୀଳେନ୍ଦିବର ଜିଣି

ସେ, କଞ୍ଜପାଣି, ଖଞ୍ଜନ ପରାୟ ଚାହାଣି

ମଞ୍ଜୁଳେ ପ୍ରକାଶିଲେ ବାଣୀ ।

ସପ୍ତଋଷି ମଣ୍ଡଳ ଆରପାରେ ତୁମ୍ଭର

ଧ୍ରୁବମଣ୍ଡଳ ନେଲ କିଣି ।୧୫।

Image